ବ୍ରହ୍ମପୁର: ସରକାରୀ ଜାଗାକୁ ନେଇ ଗତକାଲି ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ଘଟଣାରେ ପୋଲିସ ୨୦ ଜଣଙ୍କୁ ଅଟକ ରଖିବା ସହିତ ଶାନ୍ତି ଶୃଙ୍ଖଳା ପାଇଁ ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ରତ୍ନମଣିପୁର ଓ ସିଙ୍ଗିପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ନିର୍ମାଣାଧୀନ ହନୁମାନ ବାଟିକା ସିଙ୍ଗିପୁର ଗାଁର ଲୋକେ ପଶି ଭଙ୍ଗାରୁଜା କରିଥିଲେ । ଏହା ପରେ ୨ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ । ପଥର ଟେକା ମାଡ଼ରେ ଉଭୟ ଗାଁର ଏକାଧିକ ଲୋକେ ଆହତ ହୋଇଥିଲେ । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ୨୦ ଜଣଙ୍କୁ ଅଟକ ରଖିଛି । ଉଭୟ ଗାଁ ବାସିନ୍ଦା ଓ ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା କ୍ରମେ ତିନିଟି ମାମଲା ରୁଜୁ ହୋଇଛି । ବିବାଦୀୟ ସ୍ଥଳରେ ବିଏନଏସର ୧୬୩ ଧାରା ଲାଗୁ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଶାନ୍ତି ଫେରାଇଆଣିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି ।