ଆଜି ଗୁଜରାଟରେ ଏକ ବଡ଼ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟ୍ ର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଛି। ହର୍ଷ ସାଂଘଭି ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ରାଜ୍ୟର ଗୃହମନ୍ତ୍ରୀ ଥିଲେ।
ମୋଟ ୨୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ତିନି ଜଣ ମହିଳା ଅଛନ୍ତି। ମୁଖ୍ୟମନ୍ତ୍ରୀ ସମେତ ଆଠ ଜଣ ମନ୍ତ୍ରୀ ପଟେଲ ସମ୍ପ୍ରଦାୟର ହେବେ। ଆଠ ଜଣ ଓବିସି, ତିନି ଜଣ ଏସସି, ଚାରି ଜଣ ଏସଟି ଏବଂ ତିନି ଜଣ ମହିଳା। ୧୯ ଜଣ ନୂଆ ଚେହେରା ରହିଛି।
ଗୁଜରାଟରେ ୨୫ ଜଣ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଯେଉଁଥିରେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ବିଧାୟିକା ରିଭାବା ଜାଡେଜା ଗୁଜରାଟ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି । ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଏହି ଅଦଳବଦଳ ହୋଇଥିଲା। ସମସ୍ତ ୧୬ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଥିଲେ। ଏହାପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
ଏହି ଅଦଳବଦଳକୁ ୨୦୨୭ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହିତ ଯୋଡାଯାଉଛି। ପୂର୍ବରୁ ଗୁଜୁରାଟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ, ଆଠ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ଆଠ ଜଣ ରାଷ୍ଟ୍ରମନ୍ତ୍ରୀ (ଏମ୍ଓଏସ୍) ସମେତ ୧୭ ଜଣ ମନ୍ତ୍ରୀ ଥିଲେ। ଏହି ସଂଖ୍ୟା ଏବେ ୨୬ କୁ ବୃଦ୍ଧି ପାଇବ।