ମାଲକାନଗିରି: ଇତିହାସରେ ପ୍ରଥମ ଘଟଣା । ଅସ୍ତ୍ର ଛାଡ଼ିଛନ୍ତି ୨୦୮ ମାଓବାଦୀ । ଜଗଦଲପୁରଠାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁପଦ ସାଏଙ୍କ ନିକଟରେ ୨୦୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କ ନେତୃତ୍ଵରେ ୧୫୦ରୁ ଅଧିକ ମାଓବାଦୀ ବୀଜାପୁରରୁ ଚାଲି ଚାଲି ଆସି ଇନ୍ଦ୍ରାବତୀ ନଦୀ କୂଳରେ ଏକାଠି ହୋଇଥିଲେ । ସମସ୍ତଙ୍କୁ ସ୍ୱତନ୍ତ୍ର ବସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜଗଦଲପୁର ନିଆଯାଇଥିଲା । ସେହିପରି କାଙ୍କେର ଜିଲ୍ଲାରେ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ କରିବାକୁ ଆଗେଇ ଆସିଥିଲେ । ସେମାନଙ୍କୁ ମଧ୍ୟ ଜଗଦଲପୁର ନିଆଯାଇଥିଲା । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ଅସ୍ତ୍ର ବଦଳରେ ମାଓବାଦୀଙ୍କ ହାତରେ ରହିଥିଲା ଭାରତ ସମ୍ବିଧାନ ଏବଂ ଗୋଲାପ ଫୁଲ । ୧୫୩ ମାରଣାସ୍ତ୍ର ଦାଖଲ କରିଛନ୍ତି, ଯେଉଁଥିରେ ଏକେ-୪୭ ରାଇଫଲ୍, ଇନସାସ୍ ରାଇଫଲ୍, ଆଦି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବୌଦ୍ଧରେ ଓଡ଼ିଶା ପୋଲିସ ପକ୍ଷରୁ ପୋଷ୍ଟର୍ ଜାରି କରାଯାଇଛି । ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଛି । ଯେଉଁମାନେ ମାଓବାଦୀଙ୍କୁ ଧରାଇଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ବୌଦ୍ଧ ଜିଲ୍ଲାରେ ୧୦ ଜଣ ହାର୍ଡକୋର୍ ମାଓବାଦୀଙ୍କ ଉପରେ ପୁରସ୍କାର ରାଶି ଘୋଷଣା ହୋଇଛି । ସର୍ବାଧିକ ପୁରସ୍କାର ଟଙ୍କା ୧ କୋଟି ଥିବାବେଳେ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ରହିଛି । କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ମୁଣ୍ଡ ଉପରେ ସର୍ବାଧିକ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଛି । ଗଣେଶକୁ ଯିଏ ଧରାଇଦେବ ତାକୁ ଘୋଷଣା ମୁତାବକ ଅର୍ଥରାଶି ପ୍ରଦାନ କରାଯିବ । ଯଦି କୌଣସି ବ୍ୟକ୍ତି ମାଓବାଦୀଙ୍କ ବିରୋଧରେ କୌଣସି ସୂଚନା ପାଇବେ, ତେବେ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।