ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୁର୍ଗାପୁର ପରେ ହାଇଦ୍ରାବାଦରୁ ଆସିଛି ଏକ ଛାତିଥରା ଖବର । ସେଠାରେ ରହୁଥିବା ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଜଣକ ଖୋର୍ଦ୍ଧା ବାଣପୁର ଅଞ୍ଚଳର ସେ ସ୍ୱାମୀଙ୍କ ସହିତ ହ୍ରାଇଦ୍ରାବାଦରେ ରହୁଥିଲେ । ମହିଳା ଜଣେ ଶିକ୍ଷୟତ୍ରୀ ଅଟନ୍ତି ।
ପରିବାର ସଦସ୍ୟଙ୍କ ଅଭିଯୋଗ ମୁତାବକ, ଭୁବନେଶ୍ଵର ଭରତପୁର ଅଞ୍ଚଳର ଜନୈକା ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ହ୍ରାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିକାଲ ମେଣ୍ଟନାନ୍ସ ବିଭାଗରେ କାମ କରୁଥିଲେ । ସେମାନଙ୍କର ଗୋଟିଏ ୪ ବର୍ଷର ପୁଅଟିଏ ମଧ୍ୟ ଅଛି । ଗତ ୬ ମାସ ତଳେ ଉଭୟ ମା ଏବଂ ପୁଅ ହ୍ରାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଥିଲେ । ମହିଳା ଜଣକ ଉକ୍ତ କମ୍ପାନୀରେ ଶିକ୍ଷକତା କରୁଥିଲେ । କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ପିଲାଙ୍କୁ ପଢ଼ାଉଥିଲେ ।
ଗତ ୧୧ ତାରିଖରେ ମହିଳାଙ୍କ ସ୍ୱାମୀ ଏବଂ ପୁଅ ପାସପୋର୍ଟ ସଂଶୋଧନ ପାଇଁ ଓଡ଼ିଶା ଆସିଥିଲେ। ସେ ହାଇଦ୍ରାବାଦରେ ଏକା ଥିଲେ । ହଠାତ୍ ସ୍ତ୍ରୀଙ୍କର ଦେହ ଅସୁସ୍ଥ ଥିବା ନେଇ ସ୍ୱାମୀଙ୍କ ନିକଟକୁ ଫୋନ୍ ଆସିଥିଲା । ହ୍ରାଇଦ୍ରାବାଦ ପହଁଚିବା ପରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ସେମାନଙ୍କର କୌଣସି ମନ ମତାନ୍ତର କିମ୍ବା ଝଗଡ଼ା ହୋଇ ନଥିଲା । ଘରେ କେହି ନ ଥିବା ଅବସ୍ଥାରେ ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡ଼ିଛି ।
ସେପଟେ ମହିଳାଙ୍କ ବାପ ଘର ଲୋକେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଘରର ଋଣ ସୁଝିବାକୁ ସେ ହ୍ରାଇଦ୍ରାବାଦରେ ଯାଇ କାମ କରୁଥିଲା । ମାମଲାରେ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ପରିବାର ଲୋକେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ।