ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପଙ୍କ ନିର୍ଣ୍ଣୟରେ ଲାଗିଥିଲା ଯେ, ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରାମ ଲାଗିବ । ଏହାକୁ ନେଇ ଟ୍ରମ୍ପ ଦୁଇ ଦେଶର ରାଷ୍ଟ୍ରପତିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଶାନ୍ତି ପାଇଁ ମଧ୍ୟସ୍ଥତା କରିଥିଲେ ଏବଂ ପ୍ରସ୍ତାବ ବି ଦେଇଥିଲେ । ମାତ୍ର ଆମେରିକା ପଛକୁ ହଟିବାକୁ ମନସ୍ଥ କରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ କହିଛନ୍ତି ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ନେଇ ଚୁକ୍ତିନାମା ନ ହୁଏ ତେବେ ଆମେରିକା ଏଥିରେ ଆଉ ହସ୍ତକ୍ଷେପ କରିବ ନାହିଁ ଏବଂ ପଛକୁ ହଟିଯିବ ।
ରୟଟର୍ସର ରିପୋର୍ଟ ମୁତାବକ ରୁବିୟୋ ପ୍ୟାରିସରେ ୟୁରୋପୀୟ ଓ ୟୁକ୍ରେନ ନେତାଙ୍କ ସହ ଆଲୋଚନା ପରେ କହିଛନ୍ତି, ଆମେ ରୁଷ-ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ଉଦ୍ୟମକୁ ମାସ ମାସ ଧରି ଜାରି ରଖି ପାରିବୁ ନାହିଁ । ଆମକୁ ଶୀଘ୍ର ନିର୍ଣ୍ଣୟ ନେବାର ଆବଶ୍ୟକତା ରହିଛି । ଯଦି ଆଗାମୀ କିଛି ସପ୍ତାହରେ ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ବିରାମ ପାଇଁ ରାଜି ନ ହୁଅନ୍ତି ତେବେ ଆମେରିକା ଏଥିରେ ହସ୍ତକ୍ଷେପ କରିବ ନାହିଁ ଏବଂ ନିଜର ଅନ୍ୟ ଦିଗ ପ୍ରତି ଧ୍ୟାନ ଦେବ ।
ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ଅନୁଭବ କଲେଣି ଯେ, ଶାନ୍ତି ରାଜିନାମା ପାଇଁ ବହୁତ ସମୟ ଦିଆଗଲା । କିନ୍ତୁ ଏଥିରେ ସକରାତ୍ମକ ସୁଧାର ଦେଖିବାକୁ ମିଳିନାହିଁ । ବୈଦେଶିକ ମନ୍ତ୍ରୀ କହିଛନ୍ତି, ଟ୍ରମ୍ପ ଏବେ ବି ଶାନ୍ତି ପ୍ରକ୍ରିୟା ପ୍ରତି ରୁଚି ରଖିଛନ୍ତି । ଯଦି କୌଣସି ଫଳାଫଳ ନ ବାହାରେ ତେବେ ଆମେରିକା ପଛକୁ ହଟିବାକୁ ପ୍ରସ୍ତୁତ । ସୂଚନାଯୋଗ୍ୟ, ଟ୍ରମ୍ପ ନିଜର ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ରାଷ୍ଟ୍ରପତି ପଦ ସମ୍ଭାଳିବାର ୨୪ ଘଣ୍ଟା ଭିତରେ ଯୁଦ୍ଧ ସମାପ୍ତ କରି ଦେବେ ।
ହ୍ୱାଇଟ ହାଉସ୍ ଅନୁଯାୟୀ, ରୁଷ ଓ ୟୁକ୍ରେନ ମଧ୍ୟରେ ଲଢେଇରେ ମୁଣ୍ଡ ନ ଖେଳାଇ ଅନ୍ୟ ଯୋଗ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍ । ଏପ୍ରିଲ ୧୭ ତାରିଖ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆଗାମୀ ସପ୍ତାହରେ ୟୁକ୍ରେନ ସହ ରାଜିନାମା ଉପରେ ହସ୍ତାକ୍ଷର ନେଇ ଆଶା ରହିଛି । ଏହି ରାଜିନାମା ଆଧାରରେ ଆମେରିକାକୁ ୟୁକ୍ରେନଠୁ ଦୁଲର୍ଭ ଖଣିଜ ମିଳିବ ।