ମୁୁମ୍ବାଇ: ନିଜ ଘରୋଇ ଗ୍ରାଉଣ୍ଡ ୱାଙ୍ଖେଡେରେ ଚମକିଛି ମୁମ୍ବାଇ ଇଣ୍ଡିଆନ୍ସ । ବୋଲିଂ ଓ ବ୍ୟାଟିଂ ଉଭୟ ବିଭାଗରେ ଦମଦାର ପ୍ରଦର୍ଶନ କରି ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟରେ ହରାଇଛି । ଅଲରାଉଣ୍ଡର ପ୍ରଦର୍ଶନ କରି ୱିଲ ଜ୍ୟାକ୍ସ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୧୬୨ ରନ କରିଥିଲା । ଜବାବରେ ମୁମ୍ବାଇ ୧୮.୧ ଓଭରରେ ୬ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଛି । ଏଥିସହ ସପ୍ତମ ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରିଛି ଦଳ । ଅନ୍ୟପଟେ ହାଇଦ୍ରାବାଦ ସେହି ସମାନ ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଛି ।
୧୬୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ପକ୍ଷରୁ ଓପନର ରୋହିତ ଶର୍ମା ୨୬ ରନ କରି ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ରିୟାନ ରିକଲଟନଙ୍କ ସହ ଓପନିଂରେ ୩୨ ରନ ଯୋଡିଥିଲେ । ଏହା ପରେ ରିକଲଟନ ୩୧ ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟକ୍ରମରେ ସବୁ ବ୍ୟାଟର ଯୋଗଦାନ ଦେଇଥିଲେ । ୱିଲ ଜ୍ୟାକ୍ସ ଓ ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟରେ ୫୨ ରନ ଯୋଡି ଦଳ ବିଜୟ ସୁନିଶ୍ଚିତ କରିଥିଲେ । ସୂର୍ଯ୍ୟ ୨୬ ରନ ଏବଂ ୱିଲ ୩୬ ରନ କରି ଆଉଟ୍ ହେବା ବେଳକୁ ମୁମ୍ବାଇ ବିଜୟର ଦ୍ୱାର ଦେଶରେ ପହଞ୍ଚି ସାରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୯ ବଲରୁ ୨୧ ରନ କରି ବିଜୟକୁ ସହଜ କରିଥିଲେ । ତିଳକ ବର୍ମା ୨୧ ରନ କରି ଦଳ ବିଜୟର ଔପଚାରିକତା ପୂରା କରିଥିଲେ । ଶେଷରେ ମୁମ୍ବାଇ ୧୮.୧ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ଅଭିଷେକ ଶର୍ମା ୪୦ ରନ କରିଥିଲେ । ଟ୍ରେଭିସ ୨୮ ରନ କରିଥିଲେ ହେଁ ବହୁ ସଂଘର୍ଷ କରିଥିଲେ । ଇଶାନ କିଶନ ନିଜର ଖରାପ ଫର୍ମ ଜାରି ରଖି ୨ ରନ କରିଥିଲେ । ନୀତିଶ ରେଡ୍ଡୀ ୧୯ ରନ କରିଥିଲେ ମଧ୍ୟ ନିରାଶ କରିଥିଲେ । ହେନକି କ୍ଲାସେନ ୩୭ ରନ ଓ ଅନିକେଶ ବର୍ମା ୧୮ ରନ କରିବାରୁ ହାଇଦ୍ରାବାଦ ୫ ୱିକେଟ ହରାଇ ୧୬୨ ରନର ସମ୍ମାନଜନକ ସ୍କୋର କରି ପାରିଥିଲା ।