ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଗ୍ଲେନ ଫିଲିପ୍ସଙ୍କ ବଦଳ ଖେଳାଳି ଘୋଷଣା କରିଛି । ଶ୍ରୀଲଙ୍କାର ଖେଳାଳି ଦାସୁନ ଶନାକାଙ୍କୁ ଗୁଜରାଟ ଦଳରେ ସାମିଲ କରିଛି । ଫିଲିପ୍ସ ଆଇପିଏଲ୍ ୨୦୨୫ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଏହା ପରେ ଦଳ ଶନାକାଙ୍କୁ ସୁଯୋଗ ଦେଇଛି । ଶନାକା ଜଣେ ଅଲରାଉଣ୍ଡର ଏବଂ ଅନେକ ଥର ନିଜ ଦଳକୁ ମ୍ୟାଚ୍ ଜିତାଇଛନ୍ତି । ବ୍ୟାଟିଂ ସହ ବୋଲିଂରେ ତାଙ୍କର ଭଲ ରେକର୍ଡ ରହିଛି ।
ଶନାକାଙ୍କୁ ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି ଗୁଜରାଟ ଟାଇଟନ୍ସ । ଶନାକା ଆଇପିଏଲରେ ଏ ପର୍ଯ୍ୟନ୍ତ ମାତ୍ର ଥରେ ଖେଳିଛନ୍ତି । ସେ ଆଇପିଏଲ୍ ୨୦୨୩ରେ ଗୁଜରାଟ ପକ୍ଷରୁ ଖେଳିଥିଲେ । ଏହି ସିଜିନରେ ତାଙ୍କୁ ୩ଟି ମ୍ୟାଚରେ ଖେଳିବାର ସୁଯୋଗ ମିଳିଥିଲା । ଆଉ ଏବେ ସେହି ସମାନ ଫ୍ରାଞ୍ଚାଇଜ ତାଙ୍କୁ ନିଜ ଦଳରେ ସାମିଲ କରିଛି ।
ଶନାକାଙ୍କ ଟି-୨୦ ରେକର୍ଡ ଦମଦାର ରହିଛି । ସେ ଏ ପର୍ଯ୍ୟନ୍ତ ୨୪୩ ଟି-୨୦ ଖେଳି ୪୪୪୯ ରନ କରିଛନ୍ତି । ଏଥିରେ ୩ ଶତକ ଓ ୧୬ ଅର୍ଦ୍ଧଶତକ ସାମିଲ । ବୋଲିଂରେ ୯୧ ୱିକେଟ୍ ନେଇଛନ୍ତି । ଶନାକା ୧୦୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୪୫୬ ରନ କରିଛନ୍ତି । ବୋଲିଂରେ ୩୩ ୱିକେଟ ଅକ୍ତିକାର କରିଛନ୍ତି । ଶ୍ରୀଲଙ୍କା ପାଇଁ ୭୧ ଦିନିକିଆ ଖେଳି ୧୨୯୯ ରନ କରିବା ସହ ୨୭ ୱିକେଟ୍ ହାସଲ କରିଛନ୍ତି ।