ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୩୨ତମ ମ୍ୟାଚ୍ ଆଜି ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଲଗାତାର ୪ ବିଜୟ ପରେ ଦିଲ୍ଲୀ ନିଜର ଘରୋଇ ମାଟିରେ ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ପରାଜୟ ଭୋଗିଛି । ଅନ୍ୟପଟେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ଦଳ ୬ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ଲାଭ କରିଛି । ଆଜିର ମ୍ୟାଚ୍ ଜିତିବା ରାଜସ୍ଥାନ ପାଇଁ ବହୁ ଜରୁରୀ ।
ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ୪ଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଦଳ ଆଜିର ମ୍ୟାଚ୍ ଜିତେ ତେବେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ । ଅନ୍ୟପଟେ ରାଜସ୍ଥାନ ଜିତିଲେ ଦଳ ସପ୍ତମକୁ ଉଠିବ, ଯିଏ ଏବେ ଅଷ୍ଟମ ସ୍ଥାନରେ ରହିଛି ।
ଆଇପିଏଲରେ ଦିଲ୍ଲୀ ଓ ରାଜସ୍ଥାନ ପରସ୍ପର ମଧ୍ୟରେ ୨୯ଟି ମ୍ୟାଚ୍ ଖେଳିଛନ୍ତି । ଏଥିରୁ ଦିଲ୍ଲୀ ୧୪ଟି ଏବଂ ରାଜସ୍ଥାନ ୧୫ଟି ମ୍ୟାଚ୍ ଜିତିଛି । ଅର୍ଥାତ ଦୁଇ ଦଳ ବରାବର ସ୍ଥିତିରେ ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାରେ । ରାଜସ୍ଥାନ ବିପକ୍ଷରେ ଦିଲ୍ଲୀ ସର୍ବାଧିକ ୨୨୧ ରନ ସ୍କୋର କରିଛି । ସେହିପରି ଦିଲ୍ଲୀ ବିପକ୍ଷରେ ରାଜସ୍ଥାନର ସର୍ବୋଚ୍ଚ ସ୍କୋର ହେଉଛି ୨୨୨ ।
ଅରୁଣ ଜେଟଲୀ ଷ୍ଟାଡିୟମରେ ମୋଟ୍ ୯୦ଟି ଆଇପିଏଲ୍ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୩ଟି ମ୍ୟାଚ୍ ଜିତିଥିବା ବେଳେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୪୬ଟି ମ୍ୟାଚ୍ ଜିତିଛି । ଟସ୍ ଜିତିଥିବା ଦଳ ୪୪ ମ୍ୟାଚ୍ ଜିତିଛି । ଏହି ଷ୍ଟାଡିୟମରେ ସର୍ବୋଚ୍ଚ ସ୍କୋର ୨୬୬ ରନ ରହିଛି । ହାଇଦ୍ରାବାଦ ଦିଲ୍ଲୀ ବିପକ୍ଷରେ ଏହି ସ୍କୋର କରିଥିଲା । ଏଠାକାର ପିଚ୍ ବ୍ୟାଟରଙ୍କୁ ବେଶ ସୁହାଇଥାଏ । ଏଠାରେ ବଡ ସ୍କୋର ଦେଖିବାକୁ ମିଳିଥାଏ ।
ଦୁଇ ଦଳର ସମ୍ଭାବିତ ଏକାଦଶ
ଦିଲ୍ଲୀ କ୍ୟାପିଟାଲ୍ସ
ଜେକ ଫ୍ରେଜର ମ୍ୟାକଗର୍କ, କରୁଣ ନାୟର, ଅଭିଷେକ ପୋରେଲ, କେଏଲ ରାହୁଲ(ୱିକେଟ୍ କିପର), ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ(ଅଧିନାୟକ), ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ମିଚେଲ୍ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା, ମୁକଶ କୁମାର(ଇମ୍ପାକ୍ଟ ପ୍ଲେୟାର)
ରାଜସ୍ଥାନ ରୟାଲ୍ସ
ଯଶସ୍ୱୀ ଜୟସ୍ୱାଲ, ସଞ୍ଜୁ ସାମସନ(ଅଧିନାୟକ/ୱିକେଟ୍ କିପର), ନୀତିଶ ରାଣା, ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେଟମାୟର, ୱାନିନ୍ଦୁ ହସରଙ୍ଗା, ଜୋଫ୍ରା ଆର୍ଚର, ମହେଶ ତୀକ୍ଷଣା, ସନ୍ଦୀପ ଶର୍ମା, ତୁଷାର ଦେଶପାଣ୍ଡେ, କୁମାର କାର୍ତ୍ତିକେୟ(ଇମ୍ପାକ୍ଟ ପ୍ଲେୟାର) ।