କଟକ: କଟକ ବୟାଳିଶମୌଜା ବଉଳକୁଦର ଯୁବକ ଅପହରଣ ମାମଲାରେ କମିଶନରେଟ୍ ପୋଲିସ ପର୍ଦ୍ଦାଫାସ କରିଛି । ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅପହରଣର ମୁଖ୍ୟ ଅଭିଯୁକ୍ତ ଜିମ୍ ଟ୍ରେନର ରାଜେଶ ଦାସଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଅନଲାଇନ୍ ସେୟାର ମାର୍କେଟ ଟଙ୍କାକୁ ନେଇ ଏହି ଅପହରଣ ହୋଇଥିବା ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଅପହରଣରେ ବ୍ୟବହୃତ କାର ଓ ବାଇକକୁ ଜବତ କରାଯାଇଛି ।
ପୋଲିସର ସୂଚନା ମୁତାବକ, ବୟାଳିଶମୌଜା ବଉଳକୁଦର ସୌମ୍ୟରଞ୍ଜନ ବେହେରା (୩୧) ଏକ ଅନଲାଇନ୍ ସେୟାର ମାର୍କେଟ ବ୍ୟବସାୟ କରନ୍ତି । ତାଙ୍କର ପ୍ରକୃତ ଘର ଭୁବନେଶ୍ୱରରେ ଅଟେ । ଗତ ୧୮ ତାରିଖ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ପରିବାର ଲୋକ ସେ ନିଖୋଜ ଥିବା ନେଇ ବୟାଳିମୌଜା ଥାନାରେ ଅଭିଯୋଗ କରିଥିଲେ । କଟକ ଡିସିପି ରିସିକେଶ ଖିଲାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଘଟଣାର ତଦନ୍ତ କରି ମାତ୍ର ୧୨ ଘଣ୍ଟା ଭିତରେ ଅପହରଣକାରୀଙ୍କୁ ଧରିବାରେ ସଫଳ ହୋଇଛି । ୧୯ ତାରିଖ ସକାଳେ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ସୌମ୍ୟଙ୍କୁ ଏକ ଲୁହା ଚେନରେ ବାନ୍ଧି ରଖାଯାଇଥିଲା । ପୋଲିସ ଗୋଟିଏ କାର ଓ ତିନୋଟି ବାଇକ୍ ଜବତ କରିଛି ।
ଘଟଣାକ୍ରମ ଏମିତି ଥିଲା-
ସୌମ୍ୟରଞ୍ଜନ ବେହେରା ଅନଲାଇନ୍ ଟ୍ରେଡିଂ ବ୍ୟବସାୟ କରନ୍ତି । ଜିମ୍ ଟ୍ରେନର୍ ରାଜେଶ ଦାସ ଓ ଦିବ୍ୟଜ୍ୟୋତି ପ୍ରାୟ ୭୦ ଲକ୍ଷ ଟଙ୍କା ଲଗାଇ ଦେଇଥିଲେ । କିନ୍ତୁ ସେମାନେ ଆଉ ଟଙ୍କା ଫେରସ୍ତ ପାଇନଥିଲେ । ବାରମ୍ବାର ମାଗିବା ସତ୍ୱେ ସୌମ୍ୟ ଟଙ୍କା ନ ଫେରାଇବାରୁ ତାଙ୍କୁ ଅପହରଣ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଯୋଜନା ମୁତାବକ ୧୮ ତାରିଖ ସନ୍ଧ୍ୟାରେ ସେମାନେ ସୌମ୍ୟଙ୍କୁ ବୟାଳିଶମୌଜା ବଉଳକୁଦରୁ ଉଠାଇ ନେଇଥିଲେ । ଏହା ପରେ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ରଖିଥିଲେ । ତାଙ୍କ ହାତ ଗୋଡ଼ ବାନ୍ଧି ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଇଥିଲେ ବୋଲି ପୋଲିସ କମିଶନର କହିଛନ୍ତି ।
୨୦୨୨ରେ ମଧ୍ୟ ହୋଇଥିଲା ଅପହରଣ
ତେବେ ତଦନ୍ତବେଳେ ଜଣାପଡ଼ିଛି ଯେ ପୂର୍ବରୁ ସୌମ୍ୟଙ୍କ ସହିତ ଏହି ସମାନ ଧରଣର ଘଟଣା ଘଟିଥିଲା । ୨୦୨୨ରେ ସୌମ୍ୟଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । କେନ୍ଦ୍ରାପଡ଼ାରେ ତାଙ୍କୁ ଅପହରଣ କରି ରଖାଯାଇଥିଲା । କିନ୍ତୁ ସେତେବେଳେ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିବା ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ଅନଲାଇନ୍ ଠକେଇ ନେଇ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି ।