ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରାୟ କାଲେ ଖାଁ ଆଇଏସବିଟି ଛକର ନାଁ ବଦଳା ଯାଇ ଭଗବାନ ବିର୍ସା ମୁଣ୍ଡା ଛକ ନାମକରଣ କରାଯାଇଛି । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୁକ୍ରବାର ଏକ ଜନସଭାରେ ଏହାର ଘୋଷଣା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିର୍ଣ୍ଣୟ ନିଆଯାଇଛି । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ୧୮୭୫ ମସିହାରେ ଅବିଭାଜିତ ବିହାରର ଆଦିବାସୀ ଅଞ୍ଚଳ ଉଲିହାତୁରେ ହୋଇଥିଲା । ସେ ବ୍ରିଟିଶର ଉପନିବେଶବାଦ ଶାସନ ଓ ଧର୍ମାନ୍ତରଣ ଗତିବିଧି ବିରୋଧରେ ଆଦିବାସୀଙ୍କ ମନରେ ଦେଶ ସ୍ୱାଧୀନତା ଜାଗ୍ରର କରିଥିଲେ ।
ଖଟ୍ଟର କହିଛନ୍ତି, ସରାୟ କାଲେ ଖାଁ ଛକ ଏବେ ବିର୍ସା ମୁଣ୍ଡା ଛକରେ ନାମିତ ହେବ । ଏଠାରେ ସ୍ଥାପିତ ପ୍ରତୀମା ଓ ଏହାର ଛକର ନାମ ଦେଖି କେବଳ ଦିଲ୍ଲୀବାସୀ ନୁହନ୍ତି ବରଂ ଆନ୍ତଃରାଜ୍ୟ ବସଷ୍ଟାଣ୍ଡକୁ ଆସୁଥିବା ଲୋକ ମଧ୍ୟ ତାଙ୍କ ଜୀବନରୁ ପ୍ରେରଣା ନେବେ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହି ନିର୍ଣ୍ଣୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବା ପାଇଁ ନିଆଯାଇଛି ।
ଏହା ପୂର୍ବରୁ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ସହିତ ମିଶି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀରେ ପ୍ରତୀମା ଉନ୍ନୋଚନ କରିଛନ୍ତି । ବିର୍ସା ମୁଣ୍ଡା ଇଂରେଜଙ୍କ ବିରୋଧରେ ଲଢି ନିଜର ଜୀବନ ପ୍ରାଣବଳି ଦେଇଛନ୍ତି । ଇଂରେଜଙ୍କ ଦ୍ୱାରା ବଳପୂର୍ବକ ହୋଇଥିବା ଜମି ହଡପ ବିରୋଧରେ ଆଦିବାସୀଙ୍କୁ ଏକଜୁଟ କରିଥିଲେ ।