ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଯାଇଥିବା ରାହୁଲ ଗାନ୍ଧୀଙ୍କୁ ଆଜି ହଟହଟା ହେବାକୁ ପଡ଼ିଛି । କ୍ଲିଅରାନ୍ସ ନ ମିଳିବାରୁ ରାହୁଲଙ୍କ ହେଲିକପ୍ଟର ସଠିକ୍ ସମୟରେ ଉଡ଼ି ପାରି ନ ଥିଲା । ଫଳରେ ୪୫ ମିନିଟ୍ ବିଳମ୍ବରେ ରାହୁଲ ସଭାସ୍ଥଳରୁ ପ୍ରସ୍ଥାନ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରୀ କାର୍ଯ୍ୟକ୍ରମ ପାଇଁ ରାହୁଲଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦୀପିକା ପାଣ୍ଡେୟ ।
ଆଜି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ଗୋଡ୍ଡାର ମହାଗାମା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲବଡ୍ଡା ହାଇସ୍କୁଲ ପଡିଆରେ ଆୟୋଜିତ ଜନ ସଭାରେ ଯୋଗ ଦେବାକୁ ଯାଇଥିଲେ । ସଭା ଶେଷ ହେବା ପରେ ସେ ଆସି ହେଲିକପ୍ଟରରେ ବସିଥିଲେ, କିନ୍ତୁ ହେଲିକେପ୍ଟରକୁ ଉଡ଼ିବାକୁ ଅନୁମତି ମିଳି ନ ଥିଲା । ଏୟାର ଟ୍ରାଫିକ୍ କୋଣ୍ଟ୍ରୋଲ୍ (ଏଟିସି) ଅନୁମତି ନ ଦେବାରୁ ରାହୁଲ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ସେଥିରେ ବସି ରହିଥିଲେ ।
କିନ୍ତୁ କଂଗ୍ରେସର ନେତାମାନେ ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦେବାକୁ ପଛାଇ ନ ଥିଲେ । ୧୫୦ କିଲୋମିଟର୍ ଦୂରରେ ହେଉଥିବା ମୋଦୀଙ୍କ ସମାବେଶ ପାଇଁ ଏଟିସି ରାହୁଲଙ୍କ ଚପ୍ପରକୁ ଅନୁମତି ଦେଲାନି ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ତଥା ପ୍ରାର୍ଥୀ ଦୀପିକା ପାଣ୍ଡେୟ । ସେ କହିଛନ୍ତି, ଦେଓଗଡ଼ରେ ଥିବା ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ରାହୁଲ ଗାନ୍ଧୀଙ୍କୁ ସମ୍ପୃକ୍ତ ଅଞ୍ଚଳରେ ଉଡ଼ାଣ ଭରିବାକୁ ଅନୁମତି ମିଳିଲା ନାହିଁ । ଏହା ପ୍ରୋଟକଲର ଅଛି, କିନ୍ତୁ କଂଗ୍ରେସର ୭୦ ବର୍ଷର ଶାସନ କାଳରେ ବିରୋଧୀ ଦଳର ନେତାଙ୍କ ସହିତ ଏଭଳି ଘଟଣା ଘଟି ନ ଥିଲା । ଏହା ଗ୍ରହଣୀୟ ନୁହେଁ । ଆଜି ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଜନ ଜାତୀୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ଗତ ୧୩ ତାରିଖରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଏଥିପାଇଁ ସମସ୍ତ ଦଳ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।