ରାଞ୍ଚି: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଚପ୍ପର ବିଳମ୍ବ ହେବା ଘଟଣା ପରେ ଝାଡ଼ଖଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ନେଇ ଜଣାପଡ଼ିଛି । ଫଳରେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଦେଓଘର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ଫଳରେ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀ ଫେରିବାରେ ବିଳମ୍ବ ହୋଇଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିହାର ଓ ଝାଡ଼ଖଣ୍ଡ ଗସ୍ତ କାର୍ଯ୍ୟକ୍ରମ ଥିଲା । ବିହାରରେ ସହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଝାଡ଼ଖଣ୍ଡ ଦେଓଘରକୁ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିଲା । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ଫେରୁଥିବା ବେଳେ ତାଙ୍କ ବିମାନ କିଛିଟା ଯାନ୍ତ୍ରିକ ସମସ୍ୟା ସୃଷ୍ଟି ହୋଇଥିଲା । ଯଦ୍ୱାରା ବିମାନଟିକୁ ଦେଓଘର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୋଦୀଙ୍କୁ ବିମାନ ଭିତରେ ଅପେକ୍ଷା କରିବାକୁ ପଡ଼ିଛି । ଏହା ପରେ ସମ୍ପୃକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଆଣିବାକୁ ଆଉ ଏକ ବିମାନ ଦିଲ୍ଲୀରୁ ପଠାଇଯାଇଥିବା ଜଣା ପଡ଼ିଛି ।
ପ୍ରକାଶ ଥାଉକି ଆଜି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ଗୋଡ୍ଡାର ମହାଗାମା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲବଡ୍ଡା ହାଇସ୍କୁଲ ପଡିଆରେ ଆୟୋଜିତ ଜନ ସଭାରେ ଯୋଗ ଦେବାକୁ ଯାଇଥିଲେ । ସଭା ଶେଷ ହେବା ପରେ ସେ ଆସି ହେଲିକପ୍ଟରରେ ବସିଥିଲେ, କିନ୍ତୁ ହେଲିକେପ୍ଟରକୁ ଉଡ଼ିବାକୁ ଅନୁମତି ମିଳି ନ ଥିଲା । ଏୟାର ଟ୍ରାଫିକ୍ କୋଣ୍ଟ୍ରୋଲ୍ (ଏଟିସି) ଅନୁମତି ନ ଦେବାରୁ ରାହୁଲ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ସେଥିରେ ବସି ରହିଥିଲେ । ଏଥିପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୋଷ ଦେଇଥିଲା ।