ଭୁବନେଶ୍ୱର: ଇନଫୋସିଟି ଥାନା ଅଧୀନ ଚୁନକୋଳି ବସ୍ତିରେ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ମାମଲାରେ ପୁଲିସ ମାମଲା ରୁଜୁ କରିଛି । ଘର ମାଲିକ ବିଘ୍ନରାଜ ପଟ୍ଟନାୟକଙ୍କ ନାମରେ କମିନଶରେଟ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଘଟଣା ପରଠାରୁ ମାଲିକ ଫେରାର ହୋଇଯାଇଛନ୍ତି । ପୁଲିସ ତାଙ୍କୁ ଧରିବାକୁ ଯାଞ୍ଚ କରୁଛି ।
ଗତକାଲି ଅପରାହ୍ନରେ ଚୁନକୋଳି ବସ୍ତିରେ ଘର ଭିତରେ ବେଆଇନ ଭାବରେ ଚାଲୁଥିବା ବାଣ ଗୋଦାମର ନିଆଁ ଲାଗିଥିଲା । ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ପଡ଼ୋଶୀ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ । ପ୍ରାୟ ଦୁଇ ରୁ ତିନି ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।
ଦୁଇ ମହଲା ବିଶିଷ୍ଟ ଘରେ ସିଡ଼ିରେ ବାଣ ଗୋଦାମ କରାଯାଇଥିଲା । ଉପର ମହଲାରେ ଜଣେ ଭଡ଼ାରେ ରହୁଥିବାବେଳେ ତଳେ ଲେଡିଜ୍ ହଷ୍ଟେଲ ଚାଲୁଥିଲା । ଲେଡିଜ୍ ହଷ୍ଟେଲରେ ପ୍ରାୟ ୩୦ ଜଣ ରହୁଥିଲେ ବୋଲି ଜଣାପଡ଼ିଛି । ବିସ୍ଫୋରଣ ସମୟରେ କେହି ଘରେ ନ ଥିବା ବେଳେ କାହାରି ଜୀବନ ହାନି ହୋଇ ନ ଥିଲା । ସେପଟେ ଦୀପାବଳି ସମୟରେ ବିଘ୍ନରାଜ ହୋଲସେଲରେ ବାଣ ବିକ୍ରି କରିବାକୁ ପୁଲିସଠାରୁ ଅନୁମତି ଆଣିଥିଲେ । ମାତ୍ର ସେଠାରେ ଲୁଚାଣିଆ ବାଣ କାରଖାନା ଚାଲୁଥିବା ନେଇ ପୁଲିସ ପାଖରେ କେମିତି ଖବର ନ ଥିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।