ଭଦ୍ରକ: ରେଳ ଧାରଣା ଉପରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଜଣକ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ । କେନ୍ଦୁଆପଦା ନିକଟ ରେଳ ଧାରଣାରେ ତାଙ୍କ ମୃତ ଦେହ ପଡ଼ିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି ।
ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ ୟୁନିଅନ ବ୍ୟାଙ୍କରେ କାମ କରନ୍ତି । ପ୍ରତିଦିନ ଭଳି ଗତକାଲି ମଧ୍ୟ ବ୍ୟାଙ୍କ ବନ୍ଦ ହେବା ପରେ ସେ ଘରକୁ ଫେରୁଥିଲେ, ମାତ୍ର ଘରେ ପହଞ୍ଚି ନ ଥିଲେ । ଅଧିକ ରାତି ହେବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ସାଙ୍ଗ ସାଥୀଙ୍କୁ ମଧ୍ୟ ପଚାରିଥିଲେ । ମାତ୍ର କେହି କିଛି କହି ପାରି ନ ଥିଲେ । ବିଳମ୍ବିତ ରାତିରେ କେନ୍ଦୁଆପଦା ଷ୍ଟେସନ ନିକଟସ୍ଥ ରେଳ ଧାରଣା ନିକଟରୁ ତାଙ୍କ ସ୍କୁଟି ମିଳିଥିଲା । ଏହା ପରେ ଟ୍ରାକ୍ରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ମିଳିଥିଲା ।
ଏ ନେଇ ପରିବାର ଲୋକ ସାବରଙ୍ଗ ଥାନାକୁ ଖବର ଦେଇଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହିଁଚି ଯାଞ୍ଚ କରିବା ପରେ ଦେହାବଶେଷକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ ଲଲାଟେନ୍ଦୁ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଜଣା ପଡ଼ି ନ ଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।