ବଲାଙ୍ଗିର: ବିଧବା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୋଗାଣ ସହାୟକ । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଞ୍ଚଯାତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କୁ ଛତିଶଗଡ଼ରୁ ଗିରଫ କରାଯାଇଛି । ତାଙ୍କ ନାଁରେ ଦୁଷ୍କର୍ମ, ଅଶ୍ଳୀଳ ଭିଡିଓ ଭାଇରାଲ ଓ ଆଟ୍ରୋସିଟିରେ ମାମଲା ରୁଜୁ କରି ଗିରଫ କରିଛି ଆଗଲପୁର ପୋଲିସ ।
ଗତ ଦେଢ଼ ବର୍ଷ ତଳେ ଜଣେ ବିଧବା ମହିଳାଙ୍କୁ ଚାଉଳ ଦେବାକୁ କହି ପଂଚାୟତକୁ ଡାକିଥିଲେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ । ମାତ୍ର ଚାଉଳ ଦେବା ବଦଳରେ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିବା ସହିତ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ । ଗିରିଶଚନ୍ଦ୍ର ଜନୈକା ମହିଳାଙ୍କ ଭିଡ଼ିଓ ଭାଇରାଲ କରିଦେବେ କହି ବାରମ୍ବାର ବ୍ଲାକମେଲ କରୁଥିଲେ । ଗତ କିଛି ଦିନ ତଳେ ବିଧବା ମହିଳାଙ୍କ ନଗ୍ନ ଭିଡିଓ ସୋସିଆଲ ମିଡ଼ିଆରେ ଘୂରି ବୁଲିଥିଲା ।
ଗତ ୪ ତାରିଖରେ ଭିଡିଓ ଭାଇରାଲ ପରେ ବିଧବା ମହିଳା ଜଣକ ଉତ୍ୟକ୍ତ ହୋଇ ପଂଚାୟତ ଭିତରେ ଯୋଗାଣ ସହାୟକକୁ ଚପଲରେ ପିଟିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗିର ଏସ. ଡି. ପି. ଓ ପ୍ରଦୀପ ସାହୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ସେପଟେ ଅଭିଯୋଗ ପରେ ଯୋଗାଣ ସହାୟକ ଫେରାର ହୋଇଯାଇଥିଲା । ମାତ୍ର ପୁଲିସ ଆଖିରୁ ସେ ବର୍ତ୍ତି ପାର ନଥିଲେ । ବଲାଙ୍ଗୀର ପୁଲିସ ତାଙ୍କୁ ଛତିଶଗଡ଼ରୁ ଗିରଫ କରିଥିବା ଜଣାପଡ଼ିଛି । ଏ ନେଇ ସୂଚନା ଦେଇଛନ୍ତି SDPO ପ୍ରଦୀପ ସାହୁ ।