ବାଲେଶ୍ୱର: ଚୋରି ଟଙ୍କା ଲୁଚାଇବାରେ ଏକ ଅଭିନବ ଉଦ୍ୟମ । ଖତ ଗଦାରେ ପୋତା ଯାଇଛି ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରେ ଏକ କମ୍ପାନୀରୁ ଚୋରି ହୋଇଥିବା ଟଙ୍କା ବାଲେଶ୍ୱରରୁ ଉଦ୍ଧାର । ଜ୍ୱାଇଁ ଲୁଟି ଥିବା ଟଙ୍କା ଶ୍ୱଶୁର ଘରୁ ମିଳିଛି । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରାଙ୍କ ଘରୁ ଏହି ଟଙ୍କା ମିଳିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଉମାକାନ୍ତ ବେହେରାଙ୍କ ଜ୍ୱାଇଁ ଗୋପାଳ ବେହେରା ଆଗ୍ରୋ କମ୍ପାନୀରେ କାର୍ୟ୍ୟକରନ୍ତି । ସେ ଦୀର୍ଘ ୧୦ ବର୍ଷ ଧରି ସେଠାରେ କାମ କରୁଥିଲେ । ଗତ ତିନି ଦିନ ହେବ କମ୍ପାନୀ ଛୁଟି ଥିବାରୁ ଗୋପାଳ ମଉକା ଦେଖି ୨୧ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ । ଏହା ପରେ ସେଠାରୁ ରହୁଥିବା ତାଙ୍କ ଶଳାକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ।
ଗୋପାଳଙ୍କ ଶଳା ଉକ୍ତ ଚୋରି ଟଙ୍କା ବ୍ୟାଗକୁ ଆଣି ଜଳେଶ୍ୱର ଷ୍ଟେସନ ନିକଟରେ ବାପା ମାଆଙ୍କୁ ଡାକି ଦେଇଥିଲେ । ବାପା ଉମାକାନ୍ତ ବେହେରା ସେହି ଟଙ୍କାକୁ ଖତ ଗଦାରେ ପୋତି ରଖିଥିଲେ ।
ସେପଟେ ହ୍ରାଇଦ୍ରାବାଦ ପୁଲିସ ନିକଟରେ ଏ ନେଇ କମ୍ପାନୀ ତରଫରୁ ଅଭିଯୋଗ କରାଯାଇଥିଲା । ହ୍ରାଇଦ୍ରାବାଦ ପୁଲିସ ଘଟଣାରୁ ତଦନ୍ତ କରି ବାଲେଶ୍ୱରରେ ପହଁଚିଥିଲା । ହ୍ରାଇଦ୍ରାବାଦ ପୁଲିସ ଏବଂ କମର୍ଦ୍ଦା ପୁଲିସ ମିଳିତ ଭାବେ ବଡ଼ମନ୍ଦାରୁଣୀ ଗ୍ରାମରେ ଉମାକାନ୍ତଙ୍କ ଘରେ ଚଢ଼ାଉ କରିଥିଲେ । ଯାଞ୍ଚବେଳେ ବିଡ଼ା ବିଡ଼ା ଟଙ୍କା ଖତ ଗଦାରୁ ଜବତ କରାଯାଇଛି । ଜରି ବ୍ୟାଗ ଭିତରେ ଟଙ୍କାକୁ ଭର୍ତ୍ତି କରି ଉମାକାନ୍ତ ସେଠାରେ ଲୁଚାଇ ରଖିଥିଲେ । ତେବେ ସମସ୍ତ ପରିବାର ଲୋକଙ୍କୁ ଏ ନେଇ ଜେରା ଆରମ୍ଭ କରିଛି ।