ସମ୍ବଲପୁର: ପୁଣି ଥରେ ବିଦ୍ୟୁତ ତାର ନେଇଛି ହାତୀଙ୍କ ଜୀବନ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେଥିରେ ୨ଟି ବଡ଼ ହାତୀ ଓ ଗୋଟିଏ ଛୁଆ ହାତୀ ଥିବା ଜଣାପଡ଼ିଛି । ଏଭଳି ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ । ଏ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।
ସୋମବାର ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଜଙ୍ଗଲରେ ୩ଟି ହାତୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ହାତୀ ମୃତ୍ୟୁ ଖବର ନେଇ ଲୋକେ ବନ ବିଭାଗକୁ ଜଣାଇଥିଲେ । ଏହା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି ।
ଅନ୍ୟପକ୍ଷରେ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିନ ବିଭାଗ ମୁଖ୍ୟ ପିସିସିଏଫ୍ ସୁଶାନ୍ତ ନନ୍ଦ । ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡ଼ି ୩ ହାତୀର ଜୀବନ ଯାଇଛି ବୋଲି କହିଛନ୍ତି । ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବ ବନ ବିଭାଗ ମୁଖ୍ୟ ସ୍ୱୀକାର କରିଛନ୍ତି ।
ଏକା ସଙ୍ଗେ ୩ଟି ହାତୀ ମୃତ୍ୟୁ ବରଣ କରିବା ଦୁର୍ଭାଗ୍ୟ ଜନକ । ବିଦ୍ୟୁତ ବିଭାଗ ସହ ବନ ବିଭାଗ ପାଟ୍ରୋଲିଂ ଠିକ୍ ଭାବେ କରିନି । ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ ତାରକୁ ହଟାଇବାର ଥିଲା । ସିସିଏଫ୍ ଓ ଆର୍ସିସିଏଫ୍ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ । ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସୁଶାନ୍ତ ନନ୍ଦ ।