କେନ୍ଦୁଝର: କେନ୍ଦୁଝର ବନଖଣ୍ଡରେ ଅଛନ୍ତି ୧୮୦ଟି ହାତୀ। ଶନିବାର ଶେଷ ହୋଇଥିବା ହାତୀ ଗଣନାରେ ଏହା ଜଣାପଡ଼ିଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ। ଏହି ହାତୀଗଣନା ସମୟରେ କିଛି ବିଚିତ୍ର ଚିତ୍ର ସାମ୍ନାକୁ ଆସିଛି l ରାତିରେ ହାତୀପଲ କେତେବେଳେ ସୁନା ପରି ଝଟକୁଥିବା ବେଳେ, ଆଉ କେତେବେଳେ ବରଫର ଶୁଭ୍ର ଚାଦର ଉପରେ ବିଚରଣ କରୁଥିବା ମନୋରମ ଚିତ୍ର କେନ୍ଦୁଝରରେ ଦେଖିବାକୁ ମିଳିଛି। ଥର୍ମାଲ ଡ୍ରନ କ୍ୟାମେରାରେ ରାତିରେ ଜଙ୍ଗଲରେ ଉତ୍ତୋଳିତ ଚିତ୍ରରେ ଏଭଳି ଭ୍ରମ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲାରେ ୨୦୨୪ ବର୍ଷ ପାଇଁ ଚାଲିଥିବା ହାତୀ ଗଣନା କାର୍ଯ୍ୟକ୍ରମ ସମୟରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।
ନଭେମ୍ବର ୧୪ ତାରିଖରୁ ୧୬ ତାରିଖ ଯାଏ ଜାରି ରହିଥିବା ଏହି ହାତୀ ଗଣନା କାର୍ଯ୍ୟକ୍ରମ ପାଇଁ ବନ ବିଭାଗର ୮୨ଟି ଟିମ୍ ନିୟୋଜିତ ହୋଇଥିଲେ। ଏଥିପାଇଁ ଜିଲ୍ଲାର ୭ଟି ରେଞ୍ଜ ଅଞ୍ଚଳରେ ୪୩ଟି ମଞ୍ଚା ତିଆରି କରାଯାଇଥିଲା। ଏହି କାମରେ ୨୪୬ ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିଲେ। ହାତୀ ଗଣନା କରୁଥିବା ପ୍ରତ୍ୟେକ ଦଳରେ ଅତି କମରେ ୨ଜଣ ସଦସ୍ୟ ରହିଥିବା ବେଳେ ଜଣେ ମୁଖ୍ୟ ସଦସ୍ୟ ରହି କାର୍ଯ୍ୟ ତଦାରଖ କରୁଥିଲେ। ଯେଉଁଠି ଦିନରାତି ବାଇନୋକୁଲାର୍ , କ୍ୟାମେରା ଓ ଥର୍ମାଲ ଡ୍ରନ ମାଧ୍ୟମରେ ହାତୀ ଗଣନା କାର୍ଯ୍ୟ କରାଯାଇଥିଲା। ସୁାନୀୟ ରେଞ୍ଜ ଅଧିକାରୀ, ଏସିଏଫ ମାନଙ୍କ ସହଯୋଗରେ ତଥା ଡିଏଫଓଙ୍କ ପ୍ରତ୍ୟକ୍ଷ ତୱାବଧାନରେ ଏହି ଗଣନା କାର୍ଯ୍ୟ ସମାପନ ହୋଇଥିଲା।