ବାରିପଦା : ପୁଣି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ। ଟ୍ରାଫିକ୍ କନେଷ୍ଟବଳ - ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ। ଅଭିଯୋଗକାରୀ ପରୀକ୍ଷାର୍ଥୀ ଜଣଙ୍କ ହେଲେ ହୃଷିକେଶ ଦାସ। ପ୍ରଶ୍ନପତ୍ର ଦେବା ବେଳେ ପୂର୍ବରୁ ତାର ସିଲ୍ କଟା ଯାଇଥିବା ନେଇ ଅଭିଯୋଗ କରିଛନ୍ତି ହୃଷିକେଶ। ବାରିପଦା ସ୍ଥିତ ଏମପିକେ ମହିଳା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଘଟଣା ମୁତାବକ ରବିବାର ଓଡ଼ିଶାର ୨୬ ଟି ଟ୍ରାଫିକ୍ କନେଷ୍ଟବଳ ପୋଷ୍ଟ ପାଇଁ ସାରା ରାଜ୍ୟର ଲକ୍ଷ୍ୟଲକ୍ଷ୍ୟ ପରୀକ୍ଷାର୍ଥୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ଏବଂ ଏହା ଓଡିଶା ଷ୍ଟାପ୍ ସିଲେକ୍ସନ୍ କମିଶନ (OSSC) ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ମଧ୍ୟ ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍ କନେଷ୍ଟବଳ-୨୦୨୪ ର ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ପରୀକ୍ଷା ପାଇଁ ରବିବାର ସକାଳ ୯ ଘଟିକା ରୁ ୯.୪୫ ରିପୋଟିଂ ସମୟ ରହିଥିବା ବେଳେ ୧୦ ରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାରେ ପ୍ରଶ୍ନପତ୍ର ଦେବା ସମୟରେ ପରୀକ୍ଷା ଦେଉଥିବା ମୟୂରଭଞ୍ଜ ଜିଲ୍ଲା କୁଳିଅଁଣା ଥାନା କରକଚିଆ ଗ୍ରାମର ହୃଷିକେଶ ଦାସଙ୍କ ପ୍ରଶ୍ନ ପତ୍ରଟିର ସିଲ୍ ପୂର୍ବରୁ କଟାଯାଇଥିବା ନେଇ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସୁପରିଟେଣ୍ଡ ଙ୍କୁ ଅଭିଯୋଗ କରିଥିଲେ। ପର ମୁହୂର୍ତ୍ତରେ ଏହା ପରୀକ୍ଷା କେନ୍ଦ୍ର ଦାୟିତ୍ୱ ରେ ଥିବା ଡେପୁଟି କଲେକ୍ଟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍ ବସୁନ୍ଧରା ଭିତିରିଆଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ପ୍ରଶ୍ନପତ୍ରଟି ପକେଟ୍ ଭିତରୁ ହିଁ ଏଭଳି ବାହାରିଥିବା କହିଥିବା ବେଳେ ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।