ଭୁୁବନେଶ୍ୱର: ଓଲିଉଡ ଫିଲ୍ମକୁ ନେଇ ମନ୍ତବ୍ୟ ଦେଇ ସର୍ବଦା ବିବାଦ ଘେରରେ ରହି ଆସିଥିବା ଅଭିନେତା ମନୋଜ ମିଶ୍ର ସଂପ୍ରତି ବ୍ୟାସକବି ଫକିର ମୋହନ ସେନାପତିଙ୍କ ଉପରେ ବୟାନ ଦେଇ ବିବାଦରେ ରହିଛନ୍ତି । ସପ୍ତାହେ ଭିତରେ ଯଦି ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ନ ମାଗନ୍ତି ନହେଲେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ।
ଗୌତମବୁଦ୍ଧ ଦାସ କହିଛନ୍ତି, ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅଭିନେତା ମନୋଜ ମିଶ୍ର। ଯାହା ଆଦୌ ଗ୍ରହଣୀୟ ନୁହେଁ। ମୋତେ ଲାଗୁଛି ସେ ଫକୀରମୋହନଙ୍କୁ ପଢ଼ିନାହାନ୍ତି ବା ଜାଣିନାହାନ୍ତି।
ସେ କହିଛନ୍ତି, ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ସେହି ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’; ବିଶେଷକରି ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଉଠାଇଛନ୍ତି। ମୁଁ ତାଙ୍କୁ କହିରଖିବାକୁ ଚାହେଁ, ରାଣ୍ଡିପୁର ଅନନ୍ତା ଶବ୍ଦଟି ଫକୀରମୋହନ ସେନାପତିଙ୍କର ନୁହେଁ। ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆ ଲୋକ କଥାରେ ଏଇଟା ଗୋଟିଏ ବହୁ ପ୍ରଚଳିତ ଶବ୍ଦ ବା ରୁଢ଼ି ବୋଲି କୁହାଯାଏ।
ରାଣ୍ଡିପୁଅ ଅନନ୍ତାର ଅର୍ଥ ହେଉଛି ଜଣେ ଚାରି ଦୌଡ଼ି କଟା ଯୁବକ। ସେହି ଚରିତ୍ରକୁ ସେ ଏମିତି ଭାବେ ଫୁଟାଇଛନ୍ତି, ଯାହା କେବଳ ଓଡ଼ିଆ ପାଠକଙ୍କ ମନକୁ ଛୁଇଁନାହିଁ, ବିଶ୍ୱ ସାହିତ୍ୟରେ ସେ ଗୋଟିଏ ଶ୍ରେଷ୍ଠ ରଚନା ବୋଲି କୁହାଯିବ। ସେଭଳି ଲେଖାକୁ ବୁଝିବା ପାଇଁ ବୋଧହୁଏ ତାଙ୍କର ସେଭଳି ଜ୍ଞାନ ନାହିଁ। ଏହାଛଡ଼ା ସେ(ମନୋଜ ମିଶ୍ର) ଆହୁରି କହିଛନ୍ତି ଫକୀରମୋହନ କୁଆଡ଼େ ଲେଖା କପି କରିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଶ୍ରୀ ଦାସ କହିଛନ୍ତି।