ଭୁବନେଶ୍ବର: ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା ପଡ଼ିଲା ମହଙ୍ଗା। ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଏକା ବେଳେ ଚାକିରିରୁ ବିଦା ହେଲେ ୮ ଜଣ ଅବକାରୀ କର୍ମଚାରୀ। ବହିଷ୍କୃତଙ୍କ ମଧ୍ୟରେ ତିନି ଜଣ ଏଏସ୍ଆଇ ଓ ପାଞ୍ଚ ଜଣ କନଷ୍ଟେବଳ ଅଛନ୍ତି । ଏ ନେଇ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି।
ବହିଷ୍କୃତ ତିନି ଏଏସଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦୀପ୍ତ ଦାସ ଓ ନିରଞ୍ଜନ ଖଟୁଆ ରହିଛନ୍ତି। ୫ ଜଣ କନଷ୍ଟେବଲଙ୍କ ମଧ୍ୟରେ ଦୀପକ ପାଣୀଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍ ଭେଙ୍କେଟେସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ ସାମିଲ। ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ସମୟରେ ମାଫିଆଙ୍କ ସହ ସଲାସୁତୁରା ଜଣା ପଡ଼ିଥିଲା।
ଅବକାରୀ ବିଭାଗ ତରଫରୁ ଏହି ଧରଣର ବଡ଼ କାର୍ଯ୍ୟାନୁଷ୍ଠାନ ବିରଳ ବୋଲି କୁହାଯାଉଛି। କାରଣ ପୂର୍ବରୁ ଏକା ବେଳେ ୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବାର ନଜିର ନାହିଁ। ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ପାଲଟିଛି।