ଭୁବନେଶ୍ୱର: ବିଦାୟ ନେଲା 'ଧର୍ମ ମାସ କାର୍ତ୍ତିକ'। ମାର୍ଗଶିର ମାସ ପ୍ରଥମ ଦିନ ଛାଡଖାଇ ପାଳନ କରାଯାଏ। ମାତ୍ର ଛାଡଖାଇ ଦିନଟି ସଂକ୍ରାନ୍ତି ସହ ଶନିବାର ପଡ଼ିଥିବାରୁ ଫିକା ପଡିଥିଲା ଆମିଷ ବଜାର। ମାତ୍ର ଆଜି ଅସଲ ଛାଡଖାଇ ପାଇଁ ଗହଳି ଦେଖିବାକୁ ମିଳୁଛି। ରବିବାର ଭଳି ଛୁଟିଦିନ ସାଙ୍ଗକୁ ବିଗତ ଏକ ମାସ ପରେ ଆମିଷ ବଜାରରେ ପୁଣି ଦେଖିବାକୁ ମିଳିଛି ଗହଳ ଚହଳ। ସେଥିପାଇଁ ଭୁବନେଶ୍ୱର ସ୍ଥିତ ୟୁନିଟ-୪ ଆମିଷ ବଜାରରେ ସକାଳୁ ଗହଳି ପରିଲକ୍ଷିତ ହେଲାଣି।
କାର୍ତ୍ତିକ ମାସପରେ ଆଜି ଭିଡ ଜମିବା ନେଇ ଅନ୍ୟଦିନ ତୁଳନାରେ ଦୋକାନୀ ମାନେ ମଧ୍ୟ ଅଧିକା ପରିମାଣର କୁକୁଡ଼ା, ମାଂସ, କଙ୍କଡା ଓ ବିଭିନ୍ନ ପ୍ରକାରର ମାଛ ଗଦେଇଛନ୍ତି। ଚାହିଦା ମୁତାବକ ଚଢା ଦର ମଧ୍ୟ ରହିଛି। ମାଛ ଗୁଡିକ ମଧ୍ୟରେ ଇଲିସି ୧୮୦୦ଟଙ୍କା, ରୋହି ୨୦୦ଟଙ୍କା, ଭାକୁର ୨୦୦ଟଙ୍କା, ମିରିକାଳୀ ୨୪୦ଟଙ୍କା, ପାମ୍ପ୍ଲେଟ ୭୦୦ଟଙ୍କା, ପୋହଳା ୨୫୦ଟଙ୍କା, ନଈ ଚିଙ୍ଗୁଡ଼ି ୪୦୦ଟଙ୍କା, ଗୋଲଦା ଚିଙ୍ଗୁଡ଼ି ୬୦୦ଟଙ୍କା, ବାଘତା ଚିଙ୍ଗୁଡ଼ି ୮୦୦ଟଙ୍କା ଦର ରହିଛି।
ଅନ୍ୟପଟେ ମାଛ ସହ ମାଂସ ଦର ବି ଉପରକୁ ଯାଇଛି କୁକୁଡ଼ା ୨୪୦ ଟଙ୍କା ଥିବା ବେଳେ ମଟନ ୮୦୦ ଟଙ୍କାରେ ମିଳୁଛି। ଖାସିମାଂସର ଦର ଅନ୍ୟଦିନ ତୁଳନାରେ ଅଧିକ ରହିଛି। ଖାସି ଦର ୧୦୦୦ଟଙ୍କା ଛୁଇଁବ। ଏହା ସତ୍ୱେ ଗ୍ରାହକଙ୍କ ଲମ୍ବା ଲାଇନ ସହିତ ବହୁ ଉତ୍ସାହ ଦେଖିବାକୁ ମିଳୁଛି।