ଭୁବନେଶ୍ୱର: ଭରତପୁର ଥାନା ଏବଂ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ମାମଲାରେ ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ୨୦୨୫, ଜାନୁୟାରୀ ୩୧ ପର୍ଯ୍ୟନ୍ତ ତଦନ୍ତ କମିଶନର ଅଧ୍ୟକ୍ଷ ପୂର୍ବତନ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭରତପୁର ଥାନା ମାମଲାରେ ଗଠିତ ହୋଇଥିବା ତଦନ୍ତ କମିଶନଙ୍କ ଅଧ୍ୟକ୍ଷ ଥିବା ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର । ନଭେମ୍ବର ୨୨ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିଲା । ସେପ୍ଟେମ୍ବର ୨୨ରୁ ନଭେମ୍ବର ୨୨ ଯାଏ ୬୦ ଦିନ କାର୍ଯ୍ୟକାଳ ରହିଥିଲା । ମାମଲାର ତଦନ୍ତ ରିପୋର୍ଟ ୬୦ ଦିନ ମଧ୍ୟରେ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପୂରଣ ନ ହୋଇଥିବାରୁ କମିଶନଙ୍କ କାର୍ଯ୍ୟକାଳ ବଢ଼ିଛି ।
ଅନ୍ୟପକ୍ଷରେ ଭରତପୁର ଥାନା ମାମଲାରେ ଜଷ୍ଟିସ ସିଆର ଦାଶଙ୍କ କମିଶନ ୧୬ ଜଣକୁ ନୋଟିସ କରିଥିଲେ । ଆର୍ମି ମେଜର, ତାଙ୍କ ବାନ୍ଧବୀ, ଭରତପୁର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟମାନେ ଏଥିରେ ରହିଛନ୍ତି । ଗତ ଗୁରୁବାର କମିଶନ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଥିଲା । କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ କମିଶନ ଓ ଅନ୍ୟ ପକ୍ଷଙ୍କ ଓକିଲମାନେ କମିଶନଙ୍କ ନିକଟରେ ହାଜର ହୋଇଥିଲେ । ଆସନ୍ତା ୧୯ ତାରିଖରେ ଭରତପୁର ଥାନା ଏବଂ ଦୁର୍ବ୍ୟବହାର ହୋଇଥିବା ରାସ୍ତାକୁ ଯାଇ ତଦାରଖ କରିବେ କମିଶନ । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୩୦ ତାରିଖରେ କରାଯିବ ।