ସମ୍ବଲପୁର: ରେଢ଼ାଖୋଲରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ମାମଲାରେ ସମ୍ବଲପୁର ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଅମିନ କୁଳମଣି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତହସିଲଦାର ଦେବାଶିଷ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରେଢ଼ାଖୋଲ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ।
ଗତ ୧୩ ତାରିଖ ଦିନ ରେଢ଼ାଖୋଲ ଜୋନ୍-2ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ନିଜ ଜମିଜମା ବାବଦକୁ ନେଇ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ଏଥିରେ କୌଣସି କଥାକୁ ନେଇ ତହସିଲଦାର ଦେବାଶିଷ ପାତ୍ର ଓ ଶରତ ପ୍ରଧାନଙ୍କ ମଧ୍ୟର ଯୁକ୍ତି ତର୍କ ହୋଇଥିଲା । ଏହି ସମୟରେ ତହସିଲଦାର ଜିଲ୍ଲା ପରିଷଦଙ୍କୁ ଚପଲରେ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ । ଏହା ପରେ ଅମିନ କୁଳମଣିଙ୍କୁ ଡାକି ତାଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅମିନ ତହସିଲଦାରଙ୍କ ନିର୍ଦ୍ଦେଶରେ ତାଙ୍କୁ ଧକ୍କା ମାରି ଚାମ୍ବରରୁ ବାହାର କରିଦେଇଥିଲେ । ଏ ନେଇ ଶରତ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ ।
ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଖବର ପାଇବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରେଢ଼ାଖୋଲ ଉପ ଜିଲ୍ଲାପାଳ ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି । ଉପ ଜିଲ୍ଲାପାଳଙ୍କ ତଦନ୍ତ ଆଧାରରେ ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅମିନ କୁଳମଣି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତହସିଲଦାର ଦେବାଶିଷ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।