ନୂଆଦିଲ୍ଲୀ: ଭାରତୀୟ ଦଳକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ଦେବ। ବୁମରା ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ। ଅଧିନାୟକ ରୋହିତ ଶର୍ମା ସଂପ୍ରତି ଭାରତରେ ନିଜର ପରିବାର ସହ ଅଛନ୍ତି। ତାଙ୍କ ପତ୍ନୀଙ୍କ ଔରସରୁ ଶୁକ୍ରବାର ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି। ତେଣୁ ରୋହିତ ଶର୍ମାଙ୍କ ପର୍ଥ ଟେଷ୍ଟ ଖେଳିବା ସମ୍ଭାବନା ନାହିଁ। ତାଙ୍କ ଅନୁପସ୍ଥିତିରେ ବୁମରାଙ୍କୁ ଏହି ଦାୟିତ୍ଵ ମିଳିବ।
ଇଣ୍ଡିଆନ ଏକ୍ସପ୍ରେସ୍ର ଖବର ଅନୁଯାୟୀ, ପ୍ରଥମ ଟେଷ୍ଟ ପାଇଁ ବୁମରା ଭାରତୀୟ ଦଳର ଅଧିନାୟକ ହେବେ। ରୋହିତଙ୍କ ଅନୁପସ୍ଥିତିରେ ବୁମରାଙ୍କୁ ଏହି ଦାୟିତ୍ଵ ଦିଆଯିବ। ରୋହିତ ମୁମ୍ବାଇରେ ଅଛନ୍ତି ଏବଂ ପୁତ୍ର ସନ୍ତାନ ଜନ୍ମ ପରେ ସେ ସେଠାରେ କିଛି ଦିନ କାଟିବାକୁ ଚାହାନ୍ତି। ବୁମରା ଭାରତୀୟ ଦଳର ଜଣେ ଅନୁଭବୀ ଖେଳାଳି। ତେଣୁ ତାଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯିବ ବୋଲି ରିପୋର୍ଟରୁ ପ୍ରକାଶ।
ରୋହିତ ଆଡିଲେଡରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି। ତେବେ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ଶୁଭମନ ଗିଲ୍ ଆହତ ହୋଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରେ। ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆ୍ଯାଇ ନାହିଁ।
ଭାରତୀୟ ଦଳର ଅନୁଭବୀ ଖେଳାଳି କେଏଲ ରାହୁଲ ମଧ୍ୟ ଅଭ୍ୟାସ୍ ସମୟରେ ଆହତ ହୋଇଥିଲେ। କିନ୍ତୁ ତାଙ୍କ ଆହତ ସମସ୍ୟା ଗମ୍ଭୀର ନୁହେଁ। ରାହୁଲ ଏବେ ସଂପୂର୍ଣ୍ଣ ଫିଟ୍ ଏବଂ ନେଟ୍ରେ ବ୍ୟାଟିଂ ବି କରୁଛନ୍ତି। ରାହୁଲଙ୍କୁ ଜୟସ୍ଵାଲଙ୍କ ସହିତ ଓପନିଂ କରିବାକୁ ସୁଯୋଗ ମିଳିପାରେ। ରାହୁଲ ଓପନିଂରେ ଅନେକ ଥର ଦଳ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି।