ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଓ ପ୍ରଶଂସକଙ୍କ ପାଇଁ ଭଲ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି ଅଧିନାୟକ ରୋହିତ ଶର୍ମା । ଏଥିସହ ଆଉ ଏକ ବଡ ଖବର ଏହା ଯେ, ଆହତ ସମସ୍ୟାରୁ ମୁକୁଳି ବର୍ଷେ ପରେ କ୍ରିକେଟ୍ ମଇଦାନକୁ ଫେରିଥିବା ମହମ୍ମଦ ଶାମି ମଧ୍ୟ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆ ଯାତ୍ରା କରି ପାରନ୍ତି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଚଳିତ ସପ୍ତାହ ଆରମ୍ଭରେ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛି। ଦଳ ଅଭ୍ୟାସ୍ ମଧ୍ୟ ଆରମ୍ଭ କରି ଦେଇଛି । କିନ୍ତୁ ରୋହିତ ଶର୍ମା ଦ୍ଵିତୀୟ ଥର ବାପା ହୋଇଥିବାରୁ ଭାରତୀୟ ଦଳ ସହ ଯାତ୍ରା କରି ନ ଥିଲେ । କିନ୍ତୁ ଏବେ ଆଶା କରାଯାଉଛି ପର୍ଥ ଟେଷ୍ଟ ପୂର୍ବରୁ ରୋହିତ ଶର୍ମା ଦଳ ସହ ଯୋଗ ଦେବା ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଉଡ଼ାଣ ଭରିବେ। କେବଳ ଏତିକି ନୁହେଁ ମହମ୍ମଦ ଶାମି ମଧ୍ୟ ତାଙ୍କ ସହ ଅଷ୍ଟ୍ରେଲିଆ ଯାତ୍ରା କରିବାର ସମ୍ଭାବନା ରହିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ଓ ମହମ୍ମଦ ଶାମି ଏକ ସଙ୍ଗେ ଅଷ୍ଟ୍ରେଲିଆ ଗସ୍ତ କରି ପାରନ୍ତି। ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ କମ ସମୟ ରହିଛି। ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଶୀଘ୍ର ଅଷ୍ଟ୍ରେଲିଆ ପହଞ୍ଚିଲେ ରୋହିତ କିଛି ଅଭ୍ୟାସ୍ ସେସନ ପରେ ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ। ମ୍ୟାଚ୍ ନ ଖେଳିଲେ ବି ରୋହିତ ପ୍ରଥମ ଟେଷ୍ଟରେ ଦଳ ସହ ରହିବେ ବୋଲି ଆଶା ପ୍ରକାଶ କରିଥିଲେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର।
ମହମ୍ମଦ ଶାମି ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଖେଳା ଯାଇଥିବା ରଣଜୀ ମ୍ୟାଚ୍ରେ ଦମଦାର ବୋଲିଂ କରିଥିଲେ। ଶାମିଙ୍କ ପ୍ରଦର୍ଶନ ଓ ଫିଟନେସ୍ ଦେଖିବା ପାଇଁ ଜାତୀୟ ଚୟନକର୍ତ୍ତା ଅଜୟ ରାତ୍ରା ଉପସ୍ଥିତ ଥିଲେ ଶାମି ଆହତ ଜନିତ ସସମ୍ୟାରୁ ମୁକୁଳି ବର୍ଷେ ପରେ ମଇଦାନକୁ ଫେରିଛନ୍ତି। ସେ ଉଭୟ ଇନିଂସକୁ ମିଶାଇ ମୋଟ୍ ୪୩.୨ ଓଭର ବୋଲିଂ କରି ସାତ ଓ୍ଵିକେଟ୍ ନେଇଥିଲେ। ବ୍ୟାଟିଂରେ ସେ ଦ୍ରୁତ ୩୬ ରନର ଇନିଂସ ଖେଳିଥିଲେ। ତାଙ୍କର ଫିଟନେସ୍ ସନ୍ତୋଷଜନକ ଥିବାରୁ ଶାମି ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆ ଯାତ୍ରା କରିବେ ବୋଲି ଆଶା କରାଯାଉଛି ।