ନୂଆଦିଲ୍ଲୀ: ସଞ୍ଜୁ ସାମସନ ନିଜର କ୍ୟାରିୟରରେ ଭାରତୀୟ ଦଳରୁ ଅନେକ ଥର ଆଉଟ୍ ଇନ ହୋଇଛନ୍ତି । ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ସଞ୍ଜୁଙ୍କୁ ନିୟମିତ ଦଳରେ ସୁଯୋଗ ମିଳୁଛି । ଆଉ ଏହି ସୁଯୋଗ ଭରପୂର ଫାଇଦା ଉଠାଇ ସଞ୍ଜୁ ୫ଟି ଟି-୨୦ ଇନିଂସରେ ୩ ଶତକ ହାସଲ କରିଛନ୍ତି । ଏହା ମଧ୍ୟରେ ସଞ୍ଜୁ ସାମସନଙ୍କ ବାପା ବିଶ୍ୱନାଥ ସାମସନ କହିଛନ୍ତି, ଚାରି ଭାରତୀୟ କ୍ରିକେଟର ମୋ ପୁଅର କ୍ରିକେଟ୍ କ୍ୟାରିୟର ବରବାଦ କରିଛନ୍ତି । ଏହି ଚାରି କ୍ରିକେଟରଙ୍କ ମଧ୍ୟରେ ଏମଏସ ଧୋନୀ ଓ ବିରାଟ କୋହଲିଙ୍କ ନାମ ରହିଛି ।
ସଞ୍ଜୁ ସାମସନଙ୍କ ବାପା ଏକ ମିଡିଆ ସାକ୍ଷାତକାରରେ କହିଛନ୍ତି, ଏମିତି ୩-୪ ଜଣ ଅଛନ୍ତି ଯାହାଙ୍କ କାରଣରୁ ମୋ ପୁଅର କ୍ରିକେଟ୍ କ୍ୟାରିୟରର ୧୦ ବର୍ଷ ବରବାଦ ହୋଇଛି । ଧୋନୀ, ବିରାଟ, ରୋହିତ ଓ ରାହୁଲ ଦ୍ରାବିଡ ଏହି ଚାରି ଜଣଙ୍କ ପାଇଁ ମୋ ପୁଅର ୧୦ ବର୍ଷ ବରବାଦ ହୋଇଛି । ଏମାନେ ସଞ୍ଜୁ ଯେତେ ହଇରାଣ କଲେ ସେ ସେତିକି ଦୃଢତାର ସହ ପ୍ରତ୍ୟାବର୍ତ୍ତନ କଲା । ସଞ୍ଜୁ ସାମସନ କେରଳ ହୋଇ ବି କ୍ରିକେଟ୍ କ୍ୟାରିୟର ଆରମ୍ଭ ଦିଲ୍ଲୀରୁ କରିଥିଲେ ।
ପିଲା ବେଳୁ ହିଁ ସଞ୍ଜୁ ସାମସନ ନିଜର ପ୍ରତିଭା ବଳରେ ସଭିଙ୍କୁ ପ୍ରଭାବିତ କରିଥିଲେ । ଦିଲ୍ଲୀ କ୍ରିକେଟରେ ଅନେକ ଦୁର୍ନୀତି ଚାଲିଥିବା ଖବର ଆସିଥିଲା । ତେଣୁ ଏମିତି ସ୍ଥିତିରେ ଯୁବ ଖେଳାଳିଙ୍କ ପାଇଁ ଉତ୍ତମ ସୁବିଧା ସୁଯୋଗ ମିଳିବା ମୁସ୍କିଲ ହୋଇ ପଡିଥିଲା । କିନ୍ତୁ ସଞ୍ଜୁ ସାମସନଙ୍କ କ୍ରିକେଟ୍ କ୍ୟାରିୟରକୁ ଆଗକୁ ବଢାଇ ପାଇଁ ବାପା ବିଶ୍ୱନାଥ ଦିଲ୍ଲୀ ପୋଲିସରେ ନିଜର ଚାକିରି ଛାଡି ଦେଇଥିଲେ ।
ପ୍ରୋତ୍ସାହନ ଦେଇଥିଲେ ଦ୍ରାବିଡ
ସଞ୍ଜୁ ସାମସନ ୨୦୧୩ରେ ରାଜସ୍ଥାନ ରୟାଲ୍ସ ପାଇଁ ନିଜର ପଦାର୍ପଣ ମ୍ୟାଚ୍ ଖେଳିଥିଲେ । ସେହି ସମୟରେ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ । ସାମସନ ଉକ୍ତ ସିଜିନରେ ୧୧ ମ୍ୟାଚ୍ ଖେଳି ମାତ୍ର ୨୦୬ ରନ କରିଥିଲେ । ସଞ୍ଜୁ ସେହି ବର୍ଷ ରାଜସ୍ଥାନ ପାଇଁ ଚାମ୍ପିଅନ୍ସ ଲିଗ ଖେଳି ୬ଟି ମ୍ୟାଚରୁ ୧୯୨ ରନ କରିଥିଲେ । ସଞ୍ଜୁ ସାମସନ ଅନେକ ଥର କହି ସାରିଛନ୍ତି ଯେ, ରାହୁଲ ଦ୍ରାବିଡ ହିଁ ତାଙ୍କ ଆତ୍ମ ବିଶ୍ୱାସ ବଢାଇବାରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ବିଶ୍ୱନାଥ ସାମସନ ରାହୁଲ ଦ୍ରାବିଡଙ୍କ ଉପରେ ଅଭିଯୋଗ ଲଗାଇ ଚର୍ଚ୍ଚାରେ ରହିଛନ୍ତି ।