ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେଉଛି । ଆଇସିିସି ଟୁର୍ଣ୍ଣାମେଣ୍ଟର ଟ୍ରଫି ପାକିସ୍ତାନକକୁ ପଠାଇ ଦେଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଟ୍ରଫି ସହିତ ଯାତ୍ରା କରିବାକୁ ଚାହୁଁଥିଲା । ଟ୍ରଫିକୁ ନେଇ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଯାତ୍ରା କରିବାକୁ ଯୋଜନା କରିଥିଲା ପିସିବି । ମାତ୍ର ଆଇସିସି ପାକିସ୍ତାନକୁ ଝଟକା ଦେଇଛି । ଫଳରେ ଏବେ ପିସିବି ଟ୍ରଫିକୁ ନେଇ ପିଓକେ ଯାତ୍ରା କରି ପାରିବ ନାହିଁ ।
ପାକିସ୍ତାନ କ୍ରିକେଟ୍ ବୋର୍ଡ ନଭେମ୍ବର ୧୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଟ୍ରଫି ସମଗ୍ର ଦେଶରେ ଭ୍ରମଣ କରିବାକୁ ଚାହୁଁଥିଲା । ଏପରିକି ଟ୍ରଫିକୁ ଦୁନିଆର ସବୁଠୁ ଉଚ୍ଚ ଗିରି ଶୃଙ୍ଗ କେ ଟୁ ନେବାକୁ ଯୋଜନା କରିଥିଲା । ଏହା ସହିତ ପିଓକେର ତିନି ସହର ସ୍କାର୍ଦୁ, ମୁରି ଓ ମୁଜଫରାବାଦ ଭ୍ରମଣ କରିବାକୁ ଯୋଜନା କରିଥିଲା । ମାତ୍ର ଏହାକୁ ନେଇ ଭାରତ ଆଇସିସି ନିକଟରେ ନିଜର ଆପତ୍ତି ପ୍ରକାଶ କରିଥିଲା । ଆଇସିସି ମାମଲାରେ ହସ୍ତକ୍ଷେପ କରି ପିସିବିକୁ ଏହାର ଅନୁମତି ଦେଇ ନାହିଁ ।
ଚାମ୍ପିଅନ୍ସ ଟ୍ରଫିକୁ ନେଇ ସେମିତିରେ ବିବାଦ ଲାଗି ରହିଛି । ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ । ଏହାକୁ ନେଇ ପିସିବି କ୍ଷୁବ୍ଧ ଏବଂ ବିସିସିଆଇ ବିରୋଧରେ ପଦକ୍ଷେପ ନେବାକୁ ବିଚାର କରୁଛି । ଏପରିକି ଆଗାମୀ ଦିନରେ ଭାରତ ସହିତ କୌଣସି ବି ଆଇସିସି କିମ୍ବା ଏସୀୟ ଟୁର୍ଣ୍ଣାମେଣ୍ଟରେ ନ ଖେଳିବାକୁ ପିସିବି ନିଷ୍ପତ୍ତି ନେଇପାରେ ।
ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୯ରେ ଫାଇନାଲ୍ ଖେଳାଯିବ । ଅଦ୍ୟାବଧି କାର୍ଯ୍ୟସୂଚୀ ଜାରି ହୋଇ ନାହିଁ । କିନ୍ତୁ ଟ୍ରଫି ପାକିସ୍ତାନ ପହଞ୍ଚି ସାରିଛି । ଯଦି ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ନ ଯାଏ ତେବେ ହାଇବ୍ରିଡ ମୋଡେଲ୍ ଏକ ବିକଳ୍ପ ରହିଛି । ପାକିସ୍ତାନ କିନ୍ତୁ ଏଥିପାଇଁ ପ୍ରସ୍ତୁତ ନୁହେଁ ।