ସେଞ୍ଚୁରିୟନ: ଏଠାରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ହରାଇଛି । ରୋମାଞ୍ଚକର ମ୍ୟାଚକୁ ଜିତି ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ତିଳକ ବର୍ମାଙ୍କ ଅପରାଜିତ ୧୦୭ ରନର ବିସ୍ଫୋରକ ଇନିଂସ ଓ ଅଭିଷେକ ଶର୍ମାଙ୍କ ୫୦ ରନ ବଳରେ ୬ ୱିକେଟ୍ ହରାଇ ୨୧୯ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୨୦୮ ରନ କରି ପାରିଥିଲା । ଏକତରଫା ଯାଉଥିବା ମ୍ୟାଚକୁ ମାର୍କୋ ଜନସେନ ୧୭ ବଲରୁ ୫୪ର ଧୂଆଁଧାର ଇନିଂସ ଖେଳି ରୋମାଞ୍ଚ ଭରିଥିଲେ । ହେନରିକ କ୍ଲାସେନ ୨୨ ବଲରୁ ୪୧ ରନ କରିଥିଲେ । ହେଲେ ଶେଷରେ ମ୍ୟାଚ୍ ଭାରତ ସପକ୍ଷରେ ଯାଇଥିଲା ।
ଭାରତର ୨୧୯ ରନ ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ୨୭ ରନରେ ପ୍ରଥମ ଝଟକା ଲାଗିଥିଲା । ଓପନର ରୟନା ରିକଲଟନ ୧୫ ବଲରୁ ୨୦ ରନ କରି ଆଉଟ୍ ହୋଇଥିଲେ । ରିଜା ହେଣ୍ଡରିକ୍ସ ୧୩ ବଲରୁ ୨୧ ରନ କରିଥିଲେ । ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡନ ମାରକ୍ରମ ୧୮ ବଲରୁ ୨୯ ରନର ଇନିଂସ ଖେଳିଥିଲେ । ଗତ ମ୍ୟାଚର ହିରୋ ଟ୍ରିଷ୍ଟନ ଷ୍ଟବ୍ସ ୧୨ ରନ କରିଥିଲେ । ତେବେ ହେନରିକ କ୍ଲାସେନ ୨୨ ବଲରୁ ୪୧ ରନର ଧୂଆଁଧାର ଇନିଂସ ଖେଳିଥିଲେ । ତେବେ ହେନରିକ୍ସ କ୍ଲାସେନ ଆଉଟ୍ ହେବା ପରେ ମ୍ୟାଚ୍ ଏକତରଫା ଆଡକୁ ଗତି କରିଥିଲା । କିନ୍ତୁ ମାର୍କୋ ଜନସେନ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୬ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୯ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରେ ୨୬ ରନ ସଂଗ୍ରହ କରି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ କରିଥିଲେ । ତେବେ ଶେଷ ଓଭରରେ ଜନସେନ ୧୭ ବଲରୁ ୪ ଚୌକା ଓ ୫ ଛକା ସହ ୫୪ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇ ୨୦୮ ରନ କରି ପାରିଥିଲା ।
ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୪ ଓଭରରେ ୩୭ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ । ବରୁଣ ଚକ୍ରବର୍ତ୍ତୀଙ୍କୁ ୨ଟି ୱିକେଟ୍ ମିଳିଥିଲେ ହେଁ ବ୍ୟୟବହୁଳ ସାବ୍ୟତ୍ତ ହୋଇଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଖାତା ଖୋଲିବା ପୂର୍ବରୁ ଝଟକା ଲାଗିଥିଲା । ସଞ୍ଜୁ ସାମସନ ପୁଣି ଶୂନ କରି ଆଉଟ୍ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ବି ସେ ଖାତା ଖୋଲି ପାରି ନ ଥିଲେ । ଏହା ପରେ ଅଭିଷେକ ଶର୍ମା ଓ ତିଳକ ବର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ । ପ୍ରଥମ ଦୁଇଟି ମ୍ୟାଚ୍ ନିରାଶ କରିଥିଲା ଅଭିଷେକ ଶର୍ମା ଆଜିର ମ୍ୟାଚରେ କମାଲ କରିଥିଲେ । ସେ ୨୫ ବଲରୁ ୫୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହା ସହିତ ତିଳକ ବର୍ମାଙ୍କ ସହ ଦ୍ୱିତୀୟ ୱିକେଟ୍ରେ ୧୦୭ ରନ ଯୋଡିଥିଲେ ।
ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଜି ନିରାଶ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରି ପାଭିଲିୟନ ଫେରିଥିଲେ । ତେବେ ତିଳକ ବର୍ମା ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ । ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଶତକ ହାସଲ କରିବା ସହିତ ଅପରାଜିତ ରହିଥିଲେ । ତିଳକ୫୬ ବଲରୁ ୮ ଚୌକା ଓ ୭ ଛକା ସହ ୧୦୭ ରନ କରି ଅପରାଜିତ ଥିଲେ । ଫଳରେ ଭାରତ ୬ ୱିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଥିଲା ।