ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ରଣଜୀ ଟ୍ରଫି ମ୍ୟାଚରେ ମଧ୍ୟ ପ୍ରଦେଶ ବିପକ୍ଷରେ ପଶ୍ଚିମବଙ୍ଗ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ପଡିଆକୁ ଓହ୍ଲାଇଛନ୍ତି । ଏଥିସହ ୩୬୦ ଦିନ ପରେ ମହମ୍ମଦ ଶାମି ପେଶାଦାର କ୍ରିକେଟକୁ ଫେରିଛନ୍ତି । ପ୍ରଥମ ଦିନରେ ସେ ଫିକା ନଜର ଆସିଥିଲେ, କାରଣ ୧୦ ଓଭର ବୋଲିଂ କରିଥିଲେ ହେଁ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା । କିନ୍ତୁ ଦ୍ୱିତୀୟ ଦିନରେ ଶାମି ନିଜର ପୁରୁଣା ରଙ୍ଗରେ ନଜର ଆସିଥିଲେ ଏବଂ ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ।
ମହମ୍ମଦ ଶାମି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ୧୯ ଓଭର ବୋଲିଂ କରି ୪ ଓଭର ମେଡେନ ସହ ୪ ସଫଳତା ହାସଲ କରିଛନ୍ତି । ଇନ୍ଦୋରରେ ଦମଦାର ବୋଲିଂ କରିଥିବା ମହମ୍ମଦ ଶାମିଙ୍କ ଏହି ପ୍ରଦର୍ଶନର ଧ୍ୱନି ୭,୪୧୫ କିମି ଦୂରରେ ପର୍ଥରେ ଥିବା ଭାରତୀୟ ଦଳକୁ ଶୁଣିବାକୁ ମିଳିଛି । ଶାମିଙ୍କ ଏହି ପ୍ରଦର୍ଶନ ଦଳ ପ୍ରବନ୍ଧକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଶାମିଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇ ନାହିଁ । କିନ୍ତୁ ଏବେ ରଣଜୀ ଟ୍ରଫିରେ ତାଙ୍କର ଫିଟନେସ୍ ଆଧାରରେ ଦଳରେ ସାମିଲ କରାଯାଇପାରେ । ଆଉ ସେ ବୁମରାଙ୍କ ଭଲ ଯୋଡିଦାର ହୋଇ ପାରିବେ ।
ସୂଚନାଯୋଗ୍ୟ, ମହମ୍ମଦ ଶାମି ଭାରତୀୟ ଦଳ ପାଇଁ ଶେଷ ଥର ୨୦୨୩ ନଭେମ୍ବର ୧୯ ତାରିଖରେ ମ୍ୟାଚ୍ ଖେଳିଥିଲେ । ତାହା ବିଶ୍ୱକପ୍ ୨୦୨୩ର ଫାଇନାଲ୍ ମୁକାବିଲା ଥିଲା । ଏହା ପରଠୁ ସେ ଆହତଜନିତ ସମସ୍ୟା କାରଣରୁ କ୍ରିକେଟରୁ ଦୂରରେ ଥିଲେ । ତାଙ୍କ ପାଦର ସର୍ଜରୀ ହୋଇଥିଲା । ଏଥିରୁ ସୁସ୍ଥ ହେବା ପାଇଁ ତାଙ୍କୁ ବହୁତ ସମୟା ଲାଗିଛି । କିନ୍ତୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ପୁନର୍ବାସ ସମୟରେ ତାଙ୍କ ଆଣ୍ଠୁ ଫୁଲିଥିଲା । ଫଳରେ ଶାମିଙ୍କୁ ଫିଟ୍ ହେବା ପାଇଁ ଅତିରିକ୍ତ ସମୟ ଲାଗିଥିଲା । ଶେଷରେ ସେ ମଇଦାନକୁ ଫେରିଛନ୍ତି । ଆଉ ନିଜର ପ୍ରଥମ ମ୍ୟାଚରେ ୪ ବ୍ୟାଟରଙ୍କୁ ପାଭିଲିୟନ ପଠାଇଛନ୍ତି ।