ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକ ଜାତୀୟ ସ୍ତରରେ ପାଳିତ ହୋଇଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗ ଦେଇ ଡାକ୍ତର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।
ରାଷ୍ଟ୍ରପତି ହରେକୃଷ୍ଣ ମହତାବଙ୍କ କାଳଜୟୀ ସଂଗ୍ରାମ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି ଉଭୟ ହିନ୍ଦୀ ଓ ଓଡ଼ିଆରେ ସମ୍ବୋଧନ କରିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତକୁ ଯୋଡ଼ି ରଖିବାକୁ ହରେକୃଷ୍ଣ ମହତାବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ହୀରାକୁଦ ବନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ନୂଆ ରାଜଧାନୀଭାବରେ ଭୁବନେଶ୍ୱର ପ୍ରତିଷ୍ଠା କରିବା, ବିଧାନସଭା, ରାଜ୍ୟ ସଚିବାଳୟ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ତାଙ୍କର ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ଅବଦାନ ରହିଛି। ଏହା ସହିତ ତାଙ୍କ ଦ୍ୱାରା ନିର୍ମିତ ହୋଇଥିବା ବାରବାଟୀ ଷ୍ଟାଡିୟମ୍ ଓଡ଼ିଶାର କ୍ରୀଡ଼ା ଜଗତକୁ ଉଚ୍ଚ ସ୍ତରରେ ପହଁଚାଇଛି। ସେହିପରି ଡାକ୍ତର ହରେକୃଷ୍ଣ ମହତାବ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ। ନିଜର ଲେଖା ମାଧ୍ୟମରେ ରାଷ୍ଟ୍ରବାଦୀ ବିଚାରରେ ଦେଶୀବାସୀଙ୍କୁ ପ୍ରେରିତ କରୁଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଏକ ସ୍ଵତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯାଇଛି। ଏହା ସହିତ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି।