ନୂଆଦିଲ୍ଲୀ: ରାଜଗିର ହକି ଷ୍ଟାଡିୟମରେ ରବିବାର (ନଭେମ୍ବର ୧୭) ଖେଳାଯାଇଥିବା ଶେଷ ଗ୍ରୁପ୍ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଜାପାନକୁ ୩-୦ ଗୋଲରେ ପରାସ୍ତ କରି ବିହାର ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫି ରାଜଗିର-୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟାର୍ଦ୍ଧରେ ନବନୀତ କୌର (୩୭ ମିନିଟ୍) ଓ ଦୀପିକା (୪୭ ମିନିଟ୍, ୪୮ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ଚମତ୍କାର ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଭାରତ ସମସ୍ତ ମ୍ୟାଚ୍ ଜିତି ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ଥିବା ବେଳେ ନଭେମ୍ବର ୧୯ରେ ସେମିଫାଇନାଲ୍ ରେ ପୁଣି ଥରେ ଜାପାନକୁ ଭେଟିବ।
ପ୍ରଥମାର୍ଧରେ ଜାପାନ ଦୃଢ଼ ଡିଫେନ୍ସ ଦେଖାଇ ଭାରତୀୟ ଦଳକୁ ଗୋଲ୍ ଦେବାର ସୁଯୋଗ ଦେଇନଥିଲା। ଭାରତ ଧୀରେ ଧୀରେ ଓ ଧୈର୍ଯ୍ୟର ସହ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ କ୍ୱାର୍ଟରରେ ଦୀପିକା ହାସଲ କରିଥିବା ପେନାଲ୍ଟି କର୍ଣ୍ଣରକୁ ଜାପାନ ଗୋଲରକ୍ଷକ ୟୁ କୁଡୋ ବଞ୍ଚାଇଥିଲେ। ପ୍ରଥମାର୍ଦ୍ଧ ଶେଷ ଗୋଲବିହୀନ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ତୃତୀୟ କ୍ୱାର୍ଟରରେ ନବନୀତ କୌର ୩୭ ତମ ମିନିଟରେ ଚମତ୍କାର ରିଭର୍ସ ସଟ୍ ଜରିଆରେ ଭାରତର ଖାତା ଖୋଲିଥିଲେ। ଚତୁର୍ଥ କ୍ୱାର୍ଟରରେ ଦୀପିକା କ୍ରମାଗତ ଦୁଇଟି ପେନାଲ୍ଟି କର୍ନର (୪୭ ଓ ୪୮ ମିନିଟ୍)କୁ ଗୋଲରେ ପରିଣତ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ଦୀପିକା ଦୁଇଟି ପେନାଲ୍ଟି କର୍ଣ୍ଣରକୁ ପରିବର୍ତ୍ତନ କରି ବିଜୟକୁ ସୁଦୃଢ଼ କରିଥିଲେ।
ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର (ନଭେମ୍ବର ୧୯) ଅପରାହ୍ନ ୪ଟା ୪୫ରେ ଭାରତର ସେମିଫାଇନାଲ ମ୍ୟାଚ୍ ଜାପାନ ସହ ଖେଳାଯିବ। ଭାରତୀୟ ମହିଳା ହକି ଦଳ ନିଜର ଚମତ୍କାର ଫର୍ମ ଜାରି ରଖିଥିବା ବେଳେ ଏବେ ସମସ୍ତଙ୍କ ନଜର ସେମିଫାଇନାଲ ମ୍ୟାଚ୍ ଉପରେ ରହିଛି। ସୋନି ସ୍ପୋର୍ଟସ୍ ଟେନ୍ ୧ ଏବଂ ସୋନିଲିଭ୍ ର ଲାଇଭ୍ ଷ୍ଟ୍ରିମିଂରେ ଆପଣ ଏହି ମ୍ୟାଚ୍ କୁ ଲାଇଭ୍ ଦେଖିପାରିବେ। ଏହାବ୍ୟତୀତ ସମସ୍ତ ଭାରତୀୟ ମ୍ୟାଚ୍ ଡିଡି ସ୍ପୋର୍ଟସରେ ମଧ୍ୟ ପ୍ରସାରଣ କରାଯିବ।