କଳାହାଣ୍ଡି: ଆଜି ଗୋଟାଏ ଦିନରେ ତିନି ତିନି ଜଣ ସରକାରୀ ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ । ପୁଣି ଜଣେ ସରକାରୀ ଡାକ୍ତର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଜଣେ ଗର୍ଭବତୀ ମହିଳାଙ୍କଠାରୁ ଲାଞ୍ଚ ମାଗିବା ଡାକ୍ତର ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଧରାପଡ଼ିଥିବା ଡାକ୍ତର ଜଣକ ହଲେ କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସ । ତାଙ୍କୁ ଭିଜିଲାନ୍ସ ଗିରଫ କରିବା ସହିତ ତାଙ୍କ ନିକଟରୁ ଟଙ୍କା ଜବତ କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ତଥା ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ ଦାସଙ୍କ ପାଖକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପିଲା ଜନ୍ମ ହେବା ସମୟ ପାଖେଇ ଆସିଲାଣି ବୋଲି କହିଥିଲେ ଡାକ୍ତର । ସରକାରୀ ଡାକ୍ତରଖାନାରେ ନିଜ ପିଲାକୁ ପ୍ରସବ କରାଇଦେବାକୁ କହି ଡାକ୍ତର ଅଶୋକ ଦାସ ଗର୍ଭବତୀଙ୍କୁ ଲାଞ୍ଚ ମାଗିଥିଲେ ।
ଏ ନେଇ ଗର୍ଭବତୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ରେନ୍ଦୋଙ୍କ ପରିବାର ଲୋକ ଡାକ୍ତରଙ୍କୁ ଟଙ୍କା ଦେବା ୬୦୦୦ ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଧରିଥିଲା । ଡାକ୍ତରଙ୍କୁ ଗିରଫ କରିବା ସହିତ ଭିଜିଲାନ୍ସ ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କାକୁ ଜବତ କରି ଜେରା ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଆଜି ଆହୁରି ଦୁଇ ଜଣ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେଆର୍ କର୍ପୋରେସନ୍(ଓପିଏଚଡବ୍ଲ୍ୟୁସି) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍(ଡିଜିଏମ) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରୁ ବିପୁଳ ପରିମାଣରେ ଟଙ୍କା ଓ ସୁନା ମିଳିଥିବା ଜଣାପଡ଼ିଛି । ସେହିପରି କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରୁ ଚଢ଼ାଉବେଳେ ନଗଦ ଟଙ୍କା, ସୁନା ଏବଂ ଜମି ପଟ୍ଟା ଭିଜିଲାନ୍ସ ହାତରେ ଲାଗିଛି ।
ଅଧିକ ପଢ଼ନ୍ତୁ-
ଭିଜିଲାନ୍ସରେ ଜାଲରେ ଡିଜିଏମ, ଘରୁ ମିଳିଲାଣି କେଜିଏରୁ ଅଧିକ ସୁନା, ରାଜଧାନୀରେ ପ୍ଲଟ୍-କୋଠା ଠାବ