କଟକ: ବାଲିଯାତ୍ରା ଦେଖିବାକୁ ଆସିଥିବା ଯୁକ୍ତ ଦୁଇ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ତହସିଲଦାର ଓ ଟିପିସିଓଡିଏଲକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଛି । କାହା ଜାଣତରେ ଅଘଟଣ ଘଟିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଘଟଣାକୁ ଦୁଃଖଦ କହିବା ସହିତ ମୃତଙ୍କ ପରିବାରକୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଗତକାଲି ଜଗତସିଂହପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ର ବିଶ୍ୱ ପ୍ରକାଶ ମନ୍ଥନ ବାଲିଯାତ୍ରା ଦେଖିବାକୁ କଟକ ଆସିଥିଲେ । କ୍ୟାଣ୍ଟେନମେଣ୍ଟ ଥାନା ସାମ୍ନାରେ ଲୁହା ଡିଭାଇଡରକୁ ଧରି ପାର ହେଉଥିବାବେଳେ ହଠାତ୍ ତାଙ୍କୁ କରେଣ୍ଟ ଲାଗି ଥିଲା । ଫଳରେ ସେ ଛିଟିକି ତଳେ ପଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ଲୁହା ଡିଭାଇଡରେ ଲଗାଯାଇଥିବା ଲିଚୁ ଲାଇଟ୍ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।