କଟକ: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେ ଇହଲୀଳା ସମ୍ବରଣ କରିଛନ୍ତି । କଟକର ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ନଭେମ୍ବର ୧ ତାରିଖରେ ସମୀର ଦେ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଶେଷରେ ସେ ପ୍ରାଣ ତ୍ୟାଗ କରିଛନ୍ତି ।
୧୦ ଜାନୁୟାରୀ, ୧୯୫୭ରେ କଟକରେ ଜନ୍ମ ଗ୍ରହଣ କରିଥିବା ସମୀର ଦେ ଜଣେ ଦକ୍ଷ ରାଜନେତା ଭାବେ ବେଶ ଜଣାଶୁଣା ଥିଲେ । ସେ ଏକାଧାରାରେ ଜଣେ ଆଇନଜୀବୀ ଏବଂ ରାଜନେତା ଥିଲେ । ଯୁବାବସ୍ଥାରୁ ସେ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ନିଜକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ।
୧୯୯୫ ମସିହାରେ ବିଜେପି-ବିଜେଡ଼ି ମେଣ୍ଟ ସରକାରରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ । ଏହା ପରେ ସେ ୨ ଥର ମନ୍ତ୍ରୀ ହୋଇଥିଲେ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କ ସରକାରରେ ସହର ଉନ୍ନୟନ ମନ୍ତ୍ରୀ ଏବଂ ୨୦୦୪ରୁ ୨୦୦୯ ଯାଏଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ ।