ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ପାର୍ଟି ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କୈଳାଶ ଗେହଲଟ ଆଜି ବିଜେପିରେ ମିଶିଛନ୍ତି । ସୋମବାର ସକାଳେ ସେ ବିଜେପି କାର୍ଯ୍ୟାଳୟ ପହଞ୍ଚି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବାଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।
ବିଜେପିରେ ସାମିଲ ହେବା ପରେ କୈଳାଶ ଗେହଲଟ କହିଛନ୍ତି, ସେ ଏହି ନିଷ୍ପତ୍ତି କାହା ଚାପରେ ପଡି ନେଇ ନାହାନ୍ତି । ଯାହାଙ୍କୁ ଲାଗୁଛି ଯେ, ସେ କୌଣସି ପାର୍ଟିର ଚାପରେ ପଡି ଆପ୍ ଛାଡିଛନ୍ତି, ଏହା ସେମାନଙ୍କ ଭ୍ରମ । ମୁଁ ଆଜି ପର୍ଯ୍ୟନ୍ତ କାହାରି ଚାପରେ ପଡି କାମ କରିନି ।
ସେ କହିଛନ୍ତି, ଆପ୍ ଛାଡି ଆଜି ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ମୋ ପାଇଁ ଏହା କୌଣସି ସହଜ ପଦକ୍ଷେପ ନ ଥିଲା । ଆନ୍ନା ଜୀଙ୍କ ସମୟରୁ ଆମେ ଆପରେ ଥିଲୁ । ଲଗାତାର ଦିଲ୍ଲୀବାସୀଙ୍କ ପାଇଁ କାମ କରିଛୁ । କିଛି ଲୋକ ଭାବୁଥିବେ ରାତାରାତି ମୁଁ ଚାପରେ ପଡି ଏମିତି ନିଷ୍ପତ୍ତି ନେଇଛି । ମୁଁ କହିବାକୁ ଚାହୁଁଛି ଆଜି ପର୍ଯ୍ୟନ୍ତ ସେ କୌଣସି ଚାପରେ ପଡି କାମ କରି ନାହାନ୍ତି ।
ସେ ଏହା ମଧ୍ୟ କହିଛନ୍ତି, ଆଇନଜୀବୀ ପେଶା ଛାଡି ଆପରେ ସାମିଲ ହେଲି । ଲୋକଙ୍କ ପାଇଁ ଚାକିରି ଛାଡିଲି । ଏକ ବିଚାରଧାରା ସହ ଜଡିତ ହେଲି । ଜଣେ ବ୍ୟକ୍ତିଙ୍କଠାରେ ଲୋକଙ୍କ ଆଶା ଦେଖିଥିଲି । ମୁଁ ଦିଲ୍ଲୀବାସୀଙ୍କ ସେବା ଉଦ୍ଦେଶ୍ୟରେ ରାଜନୀତିକୁ ଆସିଥିଲି । ମାତ୍ର ଯେବେ ନିଜ ଆଖିରେ ଯେଉଁ ମୂଲ୍ୟବୋଧ କାରଣରୁ ଆମେ ଆମ୍ ଆଦମୀ ପାର୍ଟିକୁ ଆସିଥିଲୁ, ସେଠାରେ ସାଲିସ ହେଉଥିବା ଦେଖି ପୀଡା ଲାଗୁଛି । ତେଣ ଆପ୍ ସହ କାମ କରିବାକୁ ଉଚିତ୍ ମନେ କଲେ ନାହିଁ ବୋଲି କୈଳାଶ ଗେହଲଟ କହିଛନ୍ତି ।