ଭୁବନେଶ୍ୱର: ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ବିଜେଡ଼ି ଏବେ ଆଇସିୟୁରେ ଅଛି ବୋଲି କହି କଟାକ୍ଷ କରିଛନ୍ତି ଜୟ ନାରାୟଣ ।
କଂଗ୍ରେସ ସହିତ ମିଶି ସରକାର କରିବାକୁ ଅତନୁ ଦେଇ ଥିବା ମନ୍ତବ୍ୟକୁ ଜୟ ନାରାୟଣ ସ୍ଵାଗତ କରିଛନ୍ତି । ସେ କହିଛନ୍ତି ଯେ ଅତନୁ କହିଛନ୍ତି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିବେ । କିନ୍ତୁ ବିଜେଡ଼ି ଦଳ ରହିଲେ ତ ? ବିଜେଡ଼ିର ଆୟୁଷ ବହୁତ କମ୍ । ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି କହି କଟାକ୍ଷ କରିଛନ୍ତି । ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବା କୁ ଅତନୁ ବାବୁ ଏଭଳି କହୁଛନ୍ତି । ନେତୃତ୍ୱ କାହିଁ ? ବିଜେଡ଼ି ତ ଲିଜ୍ ରେ ଚାଲିଥିଲା । କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଲେ । କୌଣସି କର୍ମୀ କଥା ରହିଲାନି । ସେହିପରି ସେ ଆହୁରି କହିଛନ୍ତି, ବିଜୟ ମହାପାତ୍ର କାହା ପାଇଁ ବ୍ୟାଟିଂ କରୁଛନ୍ତି କହି ପାରିବିନି । କିନ୍ତୁ ତାଙ୍କ ପୁଅ ବିଜେଡ଼ିରେ ଅଛନ୍ତି । ବିଜେଡ଼ିର ଆୟୁଷ ବହୁତ କମ୍ ।
ଅନ୍ୟପକ୍ଷରେ ଜୟ ନାରାୟଣ ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଆମ୍ବ ଟାକୁଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖିଆଯାଏ । ଏ ସରକାରର ଚାରି ମାସରେ ଲୋକ ଆମ୍ବ ଟାକୁଆ ଖାଇ ଭୋକରେ ମରିଗଲେ ! ଆଜିର ଦିନରେ ଯିଏ ଭୋକରେ ମଲା ବୋଲି କହୁଛି ତାଠୁ ଭୁଲ୍ କଥା ଆଉ କିଛି ନୁହଁ ।
ରାସନ ନେଇକି ଲୋକେ କଣ କରୁଛନ୍ତି ଆପଣ ଅନୁସନ୍ଧାନ କରନ୍ତୁ ଗ୍ରାମାଞ୍ଚଳରେ । ବିଜେଡ଼ି ସମୟରେ ଲୋକେ ପଥର ଓ ମାଟି ଖାଉଥିଲେ। ସେକଥା ଆଜି ବିଜେଡ଼ି କହିପାରିବ । ସପ୍ଲାଇ ଇନ୍ସପେକ୍ଟର କି ସରପଞ୍ଚ ଚାଉଳ ଦେଇନଥିବ । ଏଥିରେ ସରକାର କେଉଁଠୁ ଆସିଲେ । ଅଭିଯୋଗ ଆସିଲା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉକି, ଅତନୁ ମହାକାଳପଡ଼ାରେ ଏକ ଜନସଭାରେ କହିଥିଲେ ଯେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ୱାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି। ଆଉ ମାତ୍ର ୮-୧୦ ବିଧାୟକ ଦରକାର ବୋଲି ସେ କହିଛନ୍ତି।