ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ । ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ଚେଷ୍ଟିତ, ଯିଏ ସେଥିରେ ବିଭ୍ରାଟ ସୃଷ୍ଟି କରିବେ ସେମାନଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ଆବଶ୍ୟକ ପଡିଲେ ଝାରପଡ଼ା ଜେଲରେ ବ୍ୟବସ୍ଥା ତାଙ୍କ ପାଇଁ ଅଛି ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସମବାୟ ସପ୍ତାହ ପାଳନ ଅବସରରେ ମୋହନ ମାଝୀ ବିଜେଡ଼ିକୁ ତୀର ମାରିଛନ୍ତି । ନିଜ ଭାଷଣରେ ସେ ପୂର୍ବ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଗତ ସରକାରରେ ଚାଷୀଙ୍କୁ ଅନ୍ୟାୟ ଓ ଶୋଷଣ କରାଯାଇଛି । କୋପରେଟିଭ ସଂସ୍ଥାକୁ କରପସନ୍ ସଂସ୍ଥାରେ ପରିଣତ କରିଥିଲେ ପୂର୍ବ ବିଜେଡ଼ି ସରକାର । ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଥିଲା, କେମିତି ଦୁର୍ନୀତି ଯୁକ୍ତ ବିଭାଗରୁ ଦୁର୍ନୀତି ବନ୍ଦ କରି ସେବା ଦିଆଯିବ, ତା ଉପରେ ବିଜେପି ସରକାର ଗୁରୁତ୍ଵ ଦେଉଛନ୍ତି । ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁ ମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ କ୍ଷମା ନୁହେଁ, ଜେଲ ପଠାଯିବ ବୋଲି ସେ ଚେତାଇ ଦେଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନର ସର୍ବ ନିମ୍ନ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ । କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ । ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେବେ । ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ, ଏହା ସହ ୮୦୦ ଟଙ୍କା ଇନପୁଟ ସବସିଡି ଦେବ ବିଜେପି ସରକାର । ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହାଜର ଚାଷୀ ଏକାଠି ହେବେ । ଏଥର କଟନୀ ଛଟନୀ ହେବ ନାହିଁ, ବନ୍ଦ ହେବ । ସେଥିପାଇଁ ଚାଷୀ ମାନେ ଏଫଏକ୍ୟୁ ମାନର ଧାନ ଦେବେ । ଧାନ କିଣାରେ ଯେମିତି କିଛି ବ୍ୟତିକ୍ରମ ନହେବ, ଏଥିପାଇଁ ଜିଲ୍ଲାପାଳମାନଙ୍କୁ ତାଗିଦ ଏବଂ ନିର୍ଦ୍ଦେଶ ଦିଆଯାଇଛି ।
କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସବୁବେଳେ କାମକୁ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଧାନ କିଣା କିଭଳି ସଠିକ୍ ଭାବେ ହେବ ଓ ସେମାନେ ତାଙ୍କ ଧାର୍ୟ୍ୟ ମୂଲ୍ୟ ପାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ । ପୂର୍ବ ସରକାର କଥା ଦେଇ କଥା ରଖି ନଥିଲେ ସେଥିପାଇଁ ଅନେକ ସମୟରେ ଚାଷୀ ଆତ୍ମହତ୍ୟା କରିଲେ । ଏବେ ନୂଆ ସରକାର ଚାଷୀଙ୍କ ପାଇଁ ଚିନ୍ତା କରୁଛନ୍ତି ।