ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ବିଜେପି ଲଗାତାର ମହାବିକାଶ ଅଘାଡିକୁ ଟାର୍ଗେଟ୍ କରି ଆସିଛି । ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଏହି ସଂକଳ୍ପ ପତ୍ର ମହାରାଷ୍ଟ୍ର ଜନତାଙ୍କ ଆକାଂକ୍ଷାର ପ୍ରତିବିମ୍ବ । ଏହା ସହିତ ସେ ରାହୁଲ ଗାନ୍ଧୀଙ୍କୁ କଡା ଶବ୍ଦରେ ସମାଲୋଚନା ମଧ୍ୟ କରିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଅମିତ ଶାହ କହିଛନ୍ତି, ମୁଁ ଉଦ୍ଧବ ଠାକରେଙ୍କୁ ପଚାରିବାକୁ ଚାହୁଁଛି କଣ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୀର ସଭରକରଙ୍କ ବିଷୟରେ ଦୁଇ ଶବ୍ଦ କହିବା ପାଇଁ କହି ପାରିବେ ? କଣ କଂଗ୍ରେସର କୌଣସି ନେତା ବାଲା ସାହେବ ଠାକରେଙ୍କ ସମ୍ମାନରେ ଦୁଇ ବାକ୍ୟ କହି ପାରିବେ । ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ଅଘାଡି ସରକାର ନିର୍ମାଣର ସ୍ୱପ୍ନ ନେଇ ଯେଉଁ ଲୋକ ବାହାରିଛନ୍ତି, ସେମାନଙ୍କୁ ମହାରାଷ୍ଟ୍ର ସରକାର ଠିକରେ ଜାଣି ନେବା ଉଚିତ୍ ।
ସେ ଏହା ମଧ୍ୟ କହିଛନ୍ତି, ମୁଁ ଉଦ୍ଧବ ଠାକରେଙ୍କୁ କହିବାକୁ ଚାହୁଁଛି ଯେ, ଆପଣ କେଉଁଠି ବସିବେ ତାହା ଆପଣଙ୍କୁ ସ୍ଥିର କରିବାର ଅଛି । ମାତ୍ର ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ, ଆପଣ ୩୭୦କୁ ବିରୋଧ କରୁଥିବା, ରାମଜନ୍ମ ଭୂମିକୁ ବିରୋଧ କରୁଥିବା ଓ ୱାକଫ ବୋର୍ଡରେ ସୁଧାରର ବିରୋଧ କରୁଥିବା ଲୋକଙ୍କ ସହିତ ବସିଛନ୍ତି ।
ସଂକଳ୍ପ ପତ୍ରର ବିମୋଚନ କରି ଅମିତ ଶାହ କହିଛନ୍ତି, ମହାରାଷ୍ଟ୍ର ଏକ ପ୍ରକାରର ଅନେକ ଯୁଗରୁ ପ୍ରତିଟି କ୍ଷେତ୍ରରେ ଦେଶର ନେତୃତ୍ୱ କରିଛି । ଗୋଟିଏ ସମୟରେ ଯେବେ ଆବଶ୍ୟକ ପଡିଲା, ସେହି ସମୟରେ ଭକ୍ତି ଆନ୍ଦୋଳନ ଏଠାରୁ ହିଁ ଆରମ୍ଭ ହୋଇଥିଲା । ଗୁଲାମିରୁ ମୁକ୍ତିର ଆନ୍ଦୋଳନ ମଧ୍ୟ ଶିବାଜୀ ମହାରାଜରୁ ଆରମ୍ଭ ହୋଇଥିଲା । ସାମାଜିକ କ୍ରାନ୍ତିର ଆରମ୍ଭ ଏଠାରୁ ହିଁ ଆରମ୍ଭ ହୋଇଥିଲା । ମହାରାଷ୍ଟ୍ରର ଜନତାଙ୍କ ଆକାଂକ୍ଷାର ପ୍ରତିବିମ୍ବ ଆମ ସଂକଳ୍ପ ପତ୍ରରେ ଦେଖିବାକୁ ମିଳିଛି ।