ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୮ ତାରିଖରେ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନପୁଟ୍ ସବସିଡି ପ୍ରଦାନ କରିବେ । ଧାନ ସଂଗ୍ରହକୁ ସରକାର ଏକ ଉତ୍ସବଭାବେ ପାଳନ କରିବେ । ଏହି ସମାବେଶରେ ରାଜ୍ୟର ୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଏକାଠି ହେବେ । ଆଉ ସରକାର ଯେଉଁ ସବସିଡି ପ୍ରଦାନ କରିବେ ଏଥିରେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଧାନ ସଂଗ୍ରହ କୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ । ଆସନ୍ତା ୮ ଡିସେମ୍ବରରେ ବରଗଡ଼ର ସୋହେଲାକରେ ବିରାଟ ଚାଷୀ ସମାବେଶ କରାଯିବ । ମୁଖ୍ୟମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେବେ । ପରବର୍ତୀ ସମୟରେ ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ ।
ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ୮ ତାରିଖରେ ଚାଷୀ ସମାବେଶରେ ଇନପୁଟ ସବସିଡ଼ି ମିଳିବା ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ । ଅଳ୍ପ ଦିନ ଚାଷୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟ କୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟକୁ ଟଙ୍କା ଯିବ । ଚାଷୀଙ୍କ ମଧ୍ୟରେ ଯେପରି ଦ୍ୱନ୍ଦ ନ ରୁହେ ସେଥିପାଇଁ ଜିଲ୍ଲାପାଳଙ୍କ ଜରିଆରେ ସେଚତନ କରିବାକୁ କୁହାଯାଇଛି ।
ଚଳିତଥର ପୂର୍ବ ଅପେକ୍ଷା ଅଧିକ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଛନ୍ତି । ପ୍ରାୟ ୧୭ ଲକ୍ଷ ଚାଷୀ ପଞ୍ଜିକରଣ କରିଛନ୍ତି । ଆସନ୍ତା ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଟୋକେନ ଦିଆଯିବ । ଏହାର ଅବଧି ଗୋଟିଏ ମାସ ରହିବ । ଯଦି କାହାର ଧାନ ରହିଯାଏ ତେବେ ଆଉ ୭ ଦିନ ଅବଧି ବଢ଼ାଇବାକୁ ଜିଲ୍ଲାପାଳଙ୍କୁ ଅଧିକାର ଦିଆଯାଇଛି ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ କଟଣୀ ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ସିସି ଟିଭି ଲଗାଯିବ ସହ ପାଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯିବ ।