ଭୁବନେଶ୍ୱର : କାର୍ତ୍ତିକ ମାସ ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ । ପରିବା ଖାଇବାକୁ ଏବେ ଲାଗିଲାଣି ଡର । ବାତ୍ୟା ‘ଦାନା’ ପ୍ରଭାବରେ ପରିବା ଦର ଯେପରି ନିଆଁ ଭଳି ବଢିବାକୁ ଲାଗିଲାଣି । କାର୍ତ୍ତିକ ମାସ ଆରମ୍ଭରୁ ପିଆଜ ଦର ବଢିଛି ଯେ ଏପର୍ଯ୍ୟନ୍ତ କମିବାର ନାଁ ଧରୁନି । ସବୁ ପରିବା ଦର ୮୦ ଉପରେ ଥିବାବେଳେ ପିଆଜ ଦର ୭୦ ଟଙ୍କା ହୋଇଛି । ବଜାରକୁ ୫୦୦ ଟଙ୍କା ନେଇଗଲେ ବି ବ୍ୟାଗ୍ ଭର୍ତ୍ତି ହେଉନି । ଲୋକମାନେ ନିଜ ଘରକୁ ଏକ କେଜି ପରିବା ନେଇକି ଯାଉଥିବା ବେଳେ ଏବେ ଅତି ଆବଶ୍ୟକ ପଡିଲେ ୨୫୦ ଗ୍ରାମ ପରିବା ନିଜ ଘରକୁ ନେଇ ଯାଉଛନ୍ତି ।
ସୂଚନା ଅନୁସାରେ, ଭୁବନେଶ୍ୱରରରେ ବର୍ତ୍ତମାନ କାଙ୍କଡ ଦର ୮୦ରୁ ଉର୍ଦ୍ଧ୍ବ ଟଙ୍କା ଥିବାବେଳେ, ବାଇଗଣ ୬୦ ଟଙ୍କା ରହିଛି, ସେହିପରି ପୋଟଳ ୬୦ ରୁ ୮୦, ବିନ୍ ଛୁଇଁ ୮୦, ଫୁଲ କୋବି ଗୋଟା ୬୦, ଟମାଟ ୪୦, ସାରୁ ୬୦ରୁ ଉର୍ଦ୍ଧ ରହିଛି । କଦଳୀ ଗୋଟା ୧୦ ରୁ ୧୫ ଟଙ୍କା ଉପରେ ରହିଛି । ଏହି ସାଧାରଣ ଘରୋଇ ପନିପରିବା ଗୁଡିକର ଆକାଶଛୁଆଁ ମୂଲ୍ୟରେ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହିପରି ପରିବା ଦର ବୃଦ୍ଧିରେ ମଧ୍ୟବିତ୍ତ ପରିବାର ଅଧିକ ପ୍ରଭାବିତ ହେଉଛନ୍ତି।