ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ଉପରେ ପ୍ରଶ୍ନ ଉଠାଉଥିବା ବିରୋଧୀ ବିଜୁ ଜନତା ଦଳକୁ ରବିବାର ଗୋଟି ଗୋଟି କରି ମୁହଁତୋଡ ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ଅତିରିକ୍ତ ସଚିବ ମାନଙ୍କୁ ବାରମ୍ବାର ବଦଳି, ଯୋଗାଣ ବିଭାଗ ସଚିବ ଭି.ଭି. ଯାଦବଙ୍କ ବଦଳି ଓ ରାଜ୍ୟରେ କନ୍ଧମାଳରେ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଓ ରାଇସ୍ ମିଲରଙ୍କ ଠାରୁ ୭ ଲକ୍ଷ ଟଙ୍କା ନେବା ଆଦି ବିଭିନ୍ନ ଅଭିଯୋଗର ଉତ୍ତର ରଖିବା ସହ ବିଜେଡିକୁ ଆଇନା ଦେଖାଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ୭ ଲକ୍ଷ ଟଙ୍କା ଯଦି ନେଇଛି, ତାର ପ୍ରମାଣ ଦେଲେ ମୁଁ ସଙ୍ଗେ ସଙ୍ଗେ ଇସ୍ତଫା ଦେଇଦେବି । ନବ ଦାସ ହତ୍ୟାକାଣ୍ଡର ରହସ୍ୟ କାହିଁକି ଉନ୍ମୋଚନ ହେଉନି । ଦିନ ଦ୍ୱିପ୍ରହରରେ ଗୁଳି ହେଲା ଆଉ ମୃତ୍ୟୁ ହେଲା । ଯଦି ଆଳୁ ଯୋଗାଣ ଓ ମିଶନ ଫେଲ୍ ମାରିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ତମ ଆଳୁ ମିଶନର ୨୭୦ କୋଟି ଟଙ୍କା କୁଆଡେ ଗଲା । ଆଳୁ ଦର ବଢ଼ିଲା । ପଶ୍ଚିମବଙ୍ଗରୁ ଆଳୁ ଆସିଲାନି । ଆମେ ଉତ୍ତର ପ୍ରଦେଶରୁ ଆଳୁ ଆଣିଲୁ । ଆଳୁ ଦରବୃଦ୍ଧିକୁ ନିୟନ୍ତ୍ରଣ କଲୁ । ଫଳରେ ବିରୋଧୀ କହିବାକୁ ଆଉ ସୁଯୋଗ ପାଇଲେନି । ତାଙ୍କର ୨୪ ବର୍ଷର ସରକାରରେ ସବୁ ମିଶନ କାହିଁକି ଫେଲ୍ ମାରିଛି । ତାର ଉତ୍ତର କିଏ ଦେବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
କନ୍ଧମାଳ ଟାକୁଆ ଖାଇ ଦୁଇ ମୃତ୍ୟୁ ଘଟଣା ଉପରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ନ ଆସିବା ପୂର୍ବରୁ ବିରୋଧୀ ଖାଲି ଛାନିଆ କାହିଁକି ହେଉଛନ୍ତି। କାଶୀପୁର ଘଟଣାରେ ୨୦ ଲୋକ ଆମ୍ବ ଟାକୁଆ ଖାଇ ମରିଥିଲେ । ସେତବେଳକୁ କିଏ ଶାସନ କରୁଥିଲା । ସେ ସମୟରେ ନବୀନ ପଟ୍ଟନାୟକ ସରକାରରେ ଥିଲେ । ସେମାନେ କ’ଣ ଇସ୍ତଫା ଦେଇଦେଲେ । ସେମାନେ ୨୪ ବର୍ଷରେ ଅନେକ ନାରକୀୟ କାଣ୍ଡ କରିଛନ୍ତି ।
ଆମେ ୨୪ ବର୍ଷର ହିସାବ ନିଶ୍ଚିନ୍ତ ମାଗିବୁ । ପରୀ, ବେବିନା, କୁନ୍ଦୁଲି କେସ୍ରେ କାହିଁକି ଚୁପ୍। ପ୍ରତାପ ଜେନା ତିନି ତିନିଟା କେସ୍ରେ ସଂପୃକ୍ତ । କାହିଁକି ସେ ଇସ୍ତଫା ଦେଲେନି । ୨୪ ବର୍ଷରେ ତମେ କ’ଣ କରିଛ । ଆଇଏସ ଅଫିସର ବଦଳି ହେବେ । ନୂଆ ସରକାର ଆସିଲା । ଯିଏ କାମ କରି ପାରିଲାନି ସେ ବଦଳି ହେବ । ଆଉ କାହାକୁ ବଦଳି କରାଯିବ ତାଙ୍କୁ କ’ଣ ପଚାରିକି କରିବୁ । ଆଉ କ’ଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ପଠାଇବୁ ? ଆଉ ଭିଭି ଯାଦବ ଗୋଟିଏ ବିଭାଗରେ ୭ ବର୍ଷ ରହିଲେ । ସେ ପାରିଲେନି । ତାଙ୍କର ବଦଳି ହେଲା ।
ବିଜେଡି ସରକାର ୨୪ ବର୍ଷରେ କିଛି କଲାନି । ମୁଁ ଧାନ ମଣ୍ଡି ବୁଲୁଥିଲି । ମଣ୍ଡିରେ କିଛି ନାହିଁ । ତମେ ୨୪ ବର୍ଷରେ କିଛି କରିନ । ଆମେ ପ୍ରଶ୍ନ କରିବାରୁ ତାଙ୍କୁ ବାଧୁଛି । ସେତେବେଳେ ଆମକୁ ସେ କୁହାଳିଆ କହୁଛନ୍ତି । କିନ୍ତୁ ଏବେ ମାତ୍ର ୩ ମାସରେ ସେମାନେ ଏମିତି ହେଲେଣି । ଓଡ଼ିଆ ଲୋକ ସବୁ ଜାଣୁଛନ୍ତି । ଆଉ ନରସିଂହ ମିଶ୍ର ଜଣେ ବରିଷ୍ଠ ନେତା ତାଙ୍କ ବିଷୟରେ କିଛି ମୋର କହିବାର ନାହିଁ । କିନ୍ତୁ ନ ବୁଝି ନଜାଣି ଏପରି କହିବା ଠିକ୍ ନୁହଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।