ଭୁବନେଶ୍ୱର: ଚାକିରିରେ ମନପସନ୍ଦ ସ୍ଥାନକୁ ବଦଳି ପାଇଁ କିମ୍ବା ପଦୋନ୍ନତି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଇଥିଲେ । ଆଉ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡିକୁ ଛିଗୁଲେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ଜୟନାରାୟଣ କହିଛନ୍ତି, ଅଫିସରମାନେ ସବୁବେଳେ ସୁବିଧା ଜାଗାରେ ରହିବାକୁ ଚାହାଁନ୍ତି। ବିଜେଡ଼ି ସମୟରେ ତ ଦଳ ନଥିଲା। ମନମୁଖୀ କାର୍ଯ୍ୟ ଚାଲିଥିଲା । ଜନ ପ୍ରତିନିଧି ମାନଙ୍କ ଦ୍ଵାରା କିଛି ହେଉ ନଥିଲା। ଏବେ ଆଉ ସେଭଳି ବ୍ୟବସ୍ଥା ନାହିଁ । ଏବେ ସେମାନେ ଇର୍ଷା କରୁଛନ୍ତି ଯେ ନେତାଙ୍କ ଗୁରୁତ୍ଵ ବଢିଛି। ଜାନକୀ ବାବୁଙ୍କ ସମୟରୁ ଅଫିସରଙ୍କୁ ନିଜ ପାଖରେ ରଖିବାକୁ ଚାପ ପଡୁଥିଲା।
ସୁପ୍ରିମକୋର୍ଟ କହିଛନ୍ତି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କ ଅଧିକାର ଅଛି ଭଲ ଅଫିସରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେବା ପାଇଁ। ଦକ୍ଷ ଅଫିସର ମାନଙ୍କୁ ନିଜ ପାଖରେ ରଖିବାକୁ କିଏ ନ ଚାହିଁବ। ଆମେ ବି ସେଭଳି ଅଫିସରଙ୍କୁ ଖୋଜୁଛୁ ବୋଲି ଜୟନାରାୟଣ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ପୋଷ୍ଟିଂ ପାଇଁ ବାହ୍ୟ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି। ଏଭଳି ଅଭ୍ୟାସ ‘ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍-୧୯୫୯ର ରୁଲ-୨୩ର’ ସିଧାସଳଖ ଉଲ୍ଲଘଂନ। ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଗୁରୁତର ଖରାପ ଆଚରଣ ଭାବେ ବିଚାର କରାଯିବ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ୟ୍ୟା ନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ ଚିଠିରେ ଦର୍ଶାଇଥିଲେ ।