କଟକ: ସମୀର ଦେଙ୍କ ଦେହାନ୍ତରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସହରରେ ଜାରି ରହିଥିବା ଐତିହାସିକ ବାଲିଯାତ୍ରାରେ ଆଜି ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏ ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଘୋଷଣା କରିଛନ୍ତି । ବାଲିଯାତ୍ରାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜିଲ୍ଲାପାଳଙ୍କ ସୂଚନା ମୁତାବକ, ସମୀର ଦେଙ୍କର ମରଶରୀରକୁ ପ୍ରଥମେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ବିଧାନସଭାକୁ ନିଆଯିବ । ଏହା ପରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ମଧ୍ୟ ବିଭିନ୍ନ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବେ । ସେଠାରୁ ସିଧାସଳକ ପୁଣି କଟକ ପୈତୃକ ବାସଭବନକୁ ପାର୍ଥିବ ଶରୀର ଅଣାଯିବ । ଏହା ପରେ ଖାନନଗର ଶ୍ମଶାନରେ ତାଙ୍କର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ କରାଯିବ ।
ସମୀର ଦେ ସୋମବାର କଟକର ଏକ ଘରୋଇ ମେଡ଼ିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ କଟକରୁ ତିନି ଥର ବିଧାୟକ ହୋଇଥିବାବେଳେ ଦୁଇ ଥର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିଲେ ।