ଭୁବନେଶ୍ଵର: ଓଡିଶା ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରି ଜାତୀୟ ହକି ପ୍ରତିଯୋଗିତାରେ ଇତିହାସ ରଚିଛି। ଦଳ ଶନିବାର ତାମିଲନାଡୁରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛି। ଓଡ଼ିଶା ହକି ଦଳର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ତାମିଲନାଡୁ ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓଡ଼ିଶା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ସମୟରେ ସେଠାରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ।
ଫାଇନାଲ ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଲାକ୍ରା ସିଲାନନ୍ଦ ହିରୋ ସାଜିଥିଲେ । ସେ ସର୍ବାଧିକ ୩ଟି ଗୋଲ୍ ଦେଇଥିବା ବେଳେ ରଜକ ଆକାଶ ତିର୍କୀ ଓ ଲାକ୍ରା ପ୍ରତାପ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ହରିୟାଣା ପକ୍ଷରୁ ଏକମାତ୍ର ଗୋଲ ଜୋଗିନ୍ଦର ସିଂହ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚାମ୍ପିଅନଶିପ ୨୦୨୪ରେ ନିଜର ପ୍ରଥମ ଐତିହାସିକ ବିଜୟ ପାଇଁ ଓଡ଼ିଶା ହକି ଦଳକୁ ଅଭିନନ୍ଦନ। ଆଜି ହରିୟାଣା ଉପରେ ପ୍ରଭାବଶାଳୀ ବିଜୟ ଓଡ଼ିଶା ହକି ଦଳର ଏକ ବଡ଼ ଉପଲବ୍ଧି। ନିଃସନ୍ଦେହ ରାଜ୍ୟରେ ହକିର ଆଗାମୀ ପିଢିକୁ ଏହି ସଫଳତା ପ୍ରେରିତ କରିବ।
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ହକି ଇଣ୍ଡିଆର ସଭାପତି ଥିବା ଦିଲ୍ଲୀପ ତିର୍କୀ ଦୀର୍ଘ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ। ଇତିହାସ ରଚିଲା ଆମ ଓଡ଼ିଶା ପୁରୁଷ ହକି ଦଳ। ହକି ଇଣ୍ଡିଆ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ହରିଆଣାକୁ ୧-୫ ଗୋଲ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିୟାନ ହୋଇଛି ଆମ ଓଡ଼ିଶା।ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଉଛି।
ସୂଚନାଯୋଗ୍ୟ, ଓଡ଼ିଶା ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଚଳିତ ଥର ପ୍ରଥମ ଥର ପାଇଁ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ହରିୟାଣା ୩-୨ ଗୋଲରେ ଉତ୍ତର ପ୍ରଦେଶକୁ ହରାଇ ଫାଇନାଲରେ ପହଞ୍ଚିଥିଲା।