ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଦ୍ବିତୀୟ ଦିନରେ ଉତ୍ତ୍ୟକ୍ତ ଜନତା ୪ ଜଣ ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଜଣେ ବିଜେପି ମନ୍ତ୍ରୀଙ୍କ ସମେତ ୩ ଜଣ ବିଧାୟକଙ୍କ ଘର ଅଛି। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ପୈତୃକ ବାସଭବନରେ ମଧ୍ୟ ପଶିବାକୁ ଚେଷ୍ଟା କରିଥିଲେ କିନ୍ତୁ ସୁରକ୍ଷା ବାହିନୀ ସେମାନଙ୍କ ଉଦ୍ୟମକୁ ବିଫଳ କରିଥିଲେ।
ରବିବାର ସକାଳେ ଇମ୍ଫାଲ ଉପତ୍ୟକାର ସମସ୍ତ ୫ଟି ଜିଲ୍ଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ସବୁ ଜିଲ୍ଲାରେ କର୍ଫ୍ୟୁ ଜାରି ରହିଥିବା ବେଳେ ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଭଙ୍ଗାରୁଜା ଓ ନିଆଁ ଲଗାଇବା ଘଟଣାରେ ସମ୍ପୃକ୍ତ ଥିବା ୨୩ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୮ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ମଣିପୁରରେ ରିଲିଫ୍ କ୍ୟାମ୍ପରୁ ନିଖୋଜ ମହିଳା ଓ ଶିଶୁଙ୍କ ମୃତଦେହ ମିଳିବା ପରେ ହିଂସା କାଣ୍ଡ ଘଟିଛି। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଜ୍ୱାଇଁଙ୍କ ସମେତ ୩ ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘରେ ଭଙ୍ଗାରୁଜା ଓ ନିଆଁ ଲଗାଇବା ସହ ୨ଟି ଚର୍ଚ୍ଚ ଓ ୩ଟି ଘରେ ନିଆଁ ଲଗାଇ ଦେଇଛନ୍ତି।
ଆତଙ୍କବାଦୀମାନେ ମହିଳା ଓ ଶିଶୁଙ୍କୁ ହତ୍ୟା କରିଥିବା କୁହାଯାଉଛି। ସୋମବାର ସିଆରପିଏଫ ସହ ଏନକାଉଣ୍ଟରରେ ୧୦ ଜଣ କୁକି ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ବୃଦ୍ଧା, ତାଙ୍କ ଦୁଇ ଝିଅ ଓ ତିନି ଜଣ ନାବାଳିକା ନାତିନାତୁଣୀଙ୍କ ପତ୍ତା ମିଳିନଥିଲା।
ଉତ୍ତ୍ୟକ୍ତ ଜନତା ରବିବାର ନିଙ୍ଗଥୁଖୋଙ୍ଗରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଗୋବିନ୍ଦାସ କୋନ୍ଥୌଜାମ, ଲାଙ୍ଗମେଡଙ୍ଗ ବଜାରରେ ବିଜେପି ବିଧାୟକ ୱାଇ ରାଧେ ଶ୍ୟାମ, ଥୋବାଲ ଜିଲ୍ଲାର ବିଜେପି ବିଧାୟକ ପୋନମ ବ୍ରଜନ ଏବଂ ଇମ୍ଫାଲ ପୂର୍ବ ଜିଲ୍ଲାର କଂଗ୍ରେସ ବିଧାୟକଟି ଲୋକେଶ୍ୱରଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଭିଡ଼ ମଧ୍ୟ ଭଙ୍ଗାରୁଜା କରିଥିଲା। ଆକ୍ରମଣ ସମୟରେ ବିଧାୟକ ଓ ତାଙ୍କ ପରିବାର ସଦସ୍ୟ ଘରେ ନଥିଲେ।
ଶନିବାର ରାତିରେ ବିକ୍ଷୋଭକାରୀମାନେ ଇମ୍ଫାଲ୍ ପୂର୍ବରେ ଥିବା ବିରେନ୍ ସିଂହଙ୍କ ପୈତୃକ ବାସଭବନ ଅଭିମୁଖେ ଯାଇଥିଲେ ମଧ୍ୟ ସୁରକ୍ଷା କର୍ମୀମାନେ ସେମାନଙ୍କୁ ୧୦୦-୨୦୦ ମିଟର ଦୂରରେ ଅଟକାଇଥିଲେ।
ମଣିପୁରରେ ହିଂସା ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରରେ ନିର୍ବାଚନୀ ରାଲି ବାତିଲ କରି ଦିଲ୍ଲୀ ଫେରିଛନ୍ତି। ଗୃହ ମନ୍ତ୍ରଣାଳୟ ଏବଂ ସୁରକ୍ଷା ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ମଣିପୁରସ୍ଥିତିର ସମୀକ୍ଷା କରିବା ସହ ନୂଆ ହିଂସା ରୋକିବା ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି।
ମଣିପୁରର ବିଭିନ୍ନ ଅଞ୍ଚଳରେ ଆଫସ୍ପା (ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ) ଲାଗୁ କରିବା ଏବଂ ସୁରକ୍ଷା ବାହିନୀର ହିଂସା ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ନାମା ଜାରି କରିଛି। ସୋମବାର ଶାହ ମଣିପୁର ଉପରେ ଅଧିକାରୀମାନଙ୍କ ସହ ଏକ ବୈଠକ କରିବେ। ମଣିପୁରରେ ବଢୁଥିବା ହିଂସାକାଣ୍ଡ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଦେଇଛି।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅମିତ ଶାହ ନିର୍ବାଚନୀ ରାଲି ବାତିଲ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧିକ ପଢ଼ନ୍ତୁ: ଜି-୨୦ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱ ରଖିବ ନଜର