ପର୍ଥ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଖେଳାଯିବ ପ୍ରଥମ ଟେଷ୍ଟ । ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ ତାହା ଉପରେ ଏବେ ସଭିଙ୍କ ନଜର ରହିଛି । ଅଧିନାୟକ ଯଶପ୍ରୀତ ବୁମରା ଓ କୋଚ୍ ଗୌତମ ଗମ୍ଭୀର ନିଶ୍ଚୟ ଜାଣି ସାରିଥିବେ ଯେ, କେଉଁ ଖେଳାଳିଙ୍କ ସହ ଦଳ ମଇଦାନକୁ ଓହ୍ଲାଇବ । ତେବେ ଏହା ପୂର୍ବରୁ ଭାରତର ବ୍ୟାଟିଂ ଅର୍ଡର ସେଟ୍ ହୋଇ ଯାଇଛି । ଓପନରଠୁ ନେଇ ନମ୍ବର ୬ ପର୍ଯ୍ୟନ୍ତ କିଏ ଖେଳିବ ତାହା ଆପାତତଃ ସ୍ପଷ୍ଟ ହୋଇ ଯାଇଛି । କିନ୍ତୁ ବୋଲରଙ୍କୁ ନେଇ ଦଳ ପ୍ରବନ୍ଧକ ଅକଳରେ ପଡି ପାରନ୍ତି ।
କ୍ରିକବଜର ରିପୋର୍ଟ ଅନୁଯାୟୀ, ଯଦି ନଭେମ୍ବର ୨୦ ତାରିଖର ନେଟ୍ ସେସନକୁ ଦେଖାଯିବ ତେବେ ଆପଣ ଜାଣି ପାରିବେ ଯେ, ଟପ୍ ୬ରେ କେଉଁ ଖେଳାଳି ଖେଳିବେ । ଭାରତୀୟ ବ୍ୟାଟିଂ ଅର୍ଡରରେ ସଂପ୍ରତି କୌଣସି ସମସ୍ୟା ନଜର ଆସୁନି । ମାତ୍ର ବୋଲିଂ ଉପରେ ନିଷ୍ପତ୍ତି ମ୍ୟାଚ୍ ଦିନ ସକାଳ ହିଁ ନିଆଯିବ । ନଭେମ୍ବର ୨୦ର ନେଟ୍ ସେସନରେ ଦୁଇ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ଅଭ୍ୟାସ୍ କରୁଥିଲେ । ଏଥିରୁ ସ୍ପଷ୍ଟ ଯେ, ଦୁହେଁ ଓପନିଂ କରିବେ ।
ଏହା ପରେ ନେଟ୍ସରେ ବିରାଟ କୋହଲିଙ୍କ ସହ ଦେବଦତ୍ତ ପାଡିକଲ ନଜର ଆସିଥିଲେ । ପାଡିକଲ ଭଲ ସଟ୍ ଖେଳିଥିବା ବେଳେ ବିରାଟ କୋହଲି ଦୀର୍ଘ ସମୟ ନେଟ୍ସରେ ବିତାଇଥିଲେ । ଏହା ପରେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲ ବ୍ୟାଟିଂ କରିଥିଲେ । ଏଥିରୁ ସ୍ପଷ୍ଟ ଯେ, ଟପ୍ ୬ରେ କେଉଁ କେଉଁ ଖେଳାଳି ଖେଳିବେ । ଓପନର ଭାବେ ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ । ନମ୍ବର ୩ରେ ଦେବଦତ୍ତ ପାଡିକଲ, ଚାରିରେ ବିରାଟ କୋହଲି, ପାଞ୍ଚରେ ପନ୍ତ ଓ ଛଅ ନମ୍ବରରେ ଧ୍ରୁବ ଜୁରେଲ ଖେଳିବେ । ଏମାନଙ୍କ ବ୍ୟତୀତ ଆଉ ଦୁଇଟି ନାଁ ଚୂଡାନ୍ତ ଏକାଦଶ ପାଇଁ ଚୂଡାନ୍ତ ରହିଛି । ଦୁଇ ଖେଳାଳି ହେଉଛନ୍ତି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ।
କିନ୍ତୁ ଏ ପର୍ଯ୍ୟନ୍ତ ଆଉ ତିନି ଖେଳାଳିଙ୍କ ନାମ ସ୍ଥିର ହୋଇ ନାହିଁ । ଦଳରେ ଯଦି ଜଣେ ସ୍ପିନର ଖେଳିବେ ତେବେ କାହାକୁ ସ୍ଥାନ ଦିଆଯିବ ? ଭାରତ ପାଖରେ ତିନି ବିକଳ୍ପ ରହିଛି, ଯେଉଁଥିରେ ଆର ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କ ନାଁ ସାମିଲ । ଏହା ବ୍ୟତୀତ ନୀତିଶ ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ଦ୍ରୁତ ବୋଲର ହିସାବରେ ହର୍ଷିତ ରାଣା, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ ଓ ୟଶ ଦୟାଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ଉଲ୍ଲେଖନୀୟ ପାଡିକଲ ଏବେ ମଧ୍ୟ ଦଳରେ ସାମିଲ ହୋଇ ନାହାନ୍ତି । ଯଦି ସେ ଖେଳନ୍ତି ତେବେ ବିସିସିଆଇକୁ ଶୀଘ୍ର ତାଙ୍କ ନାଁ ଘୋଷଣା କରିବ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ଆର ଅଶ୍ୱିନ/ଜାଡେଜା/ସୁନ୍ଦର, ନୀତିଶ ରେଡ୍ଡୀ, ଯଶପ୍ରୀତ ବୁମରା(ଅଧିନାୟକ), ମହମ୍ମଦ ସିରାଜ ଓ ହର୍ଷିତ ରାଣା/ପ୍ରସିଦ୍ଧ କୃଷ୍ଣା ।