ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୯, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୱାନ୍ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ନିମନ୍ତେ ଏକ ପ୍ରସ୍ତୁତି ବୈଠକ, କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସୁତି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା କ୍ରିକେଟ ଆସୋସିଏସନ୍ର ଅଧିକାରୀ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତତ୍ରେୟ ଭାଉ ସାହେବ ସିନ୍ଧେ, ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଅଗ୍ନିଶମ, ପରିବହନ ବିଭାଗର ଅଧିକାରୀ, ଏୟାରପୋର୍ଟ ଅଥରିଟି, କଟକ ମୁନିସିପାଲ କର୍ପୋରେସନ୍ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ୱାନ୍ ଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚଟି ଯେପରି ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା।
ବିଶେଷ ଭାବରେ ଖେଳାଳୀ ମାନଙ୍କର ରହଣି ବ୍ୟବସ୍ଥା, ଷ୍ଟାଡିୟମ୍ ରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବରେ ଧ୍ୟାନ ଦିଆଯିବ। ମ୍ୟାଚରେ ଯେପରି ଅଧିକରୁ ଅଧିକ ଦର୍ଶକମାନେ ଏକତ୍ରିତ ହୋଇ ମ୍ୟାଚ ଦେଖିପାରିବେ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏଥିସହିତ ମ୍ୟାଚର ଟିକେଟକୁ ଦର୍ଶକ ମାନଙ୍କ ପାଇଁ ସୁଲଭ ଦରରେ ବିକ୍ରୟ କରାଯିବା ସହିତ ଟିକେଟ ମୂଲ୍ୟ ସ୍ଥିର କରିବା ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି।