କଟକ: ଆସନ୍ତା ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଦିବାରାତ୍ର ମ୍ୟାଚ୍ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏହି ମ୍ୟାଚ୍ ପାଇଁ ପୂର୍ବରୁ ଘୋଷିତ ଟିକେଟ୍ ଦର ହ୍ରାସ କରାଯାଇଛି। ଟିକେଟର ଅହେତୁକ ଦରବୃଦ୍ଧିକୁ ନେଇ ସାରା ରାଜ୍ୟରେ କ୍ରିକେଟ୍ ପ୍ରେମୀଙ୍କ ଅସନ୍ତୋଷ ପରେ ଓଡିଶା କ୍ରିକେଟ୍ ଆସୋସିଏସ(ଓସିଏ) ଏହି ପଦକ୍ଷପ ଗ୍ରହଣ କରିଛି । ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହ ବସିଥିବା ପ୍ରସ୍ତୁତି ବୈଠକରେ ଟିକେଟ୍ ଦର ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।
ଓସିଏ ଜାରି କରିଥିବା ନୂତନା ତାଲିକା ଅନୁଯାୟୀ, ଗ୍ୟାଲେରୀ ୧ ରୁ ୭ ପ୍ରତ୍ୟେକ ଟିକେଟ ପିଛା ୧୦୦ ଟଙ୍କା ହ୍ରାସ କରାଯାଇଛି। ସ୍ପେସାଲ୍ ଏନ୍ କ୍ଲୋଜର ଓ ଏସି ଗ୍ୟାଲେରୀ ବକ୍ସରେ ୧୦୦୦ ଟଙ୍କା କମା ଯାଇଛି। ତେବେ କର୍ପୋରେଟ ଓ ନ୍ୟୁ ପଭିଲିଆନ୍ ବକ୍ସର ରେଟ୍ ଅପରିବର୍ତ୍ତିତ।
ପରିବର୍ତ୍ତନ ହୋଇଥିବା ଟିକେଟ୍ ଦର ଅନୁଯାୟୀ, ଗ୍ୟାଲେରୀ ୧ ଓ ୩ ପାଇଁ ୧୨୦୦ ବଦଳରେ ୧୧୦୦ ଟଙ୍କା ରଖାଯାଇଛି। ସେହିପରି ଗ୍ୟାଲେରୀ ୨ ଓ ୪ ପାଇଁ ଯାହା ୧୦୦୦ ଟଙ୍କା ଥିଲା ତାହା ୯୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୫ ପାଇଁ ୧୫୦୦ ସ୍ଥାନରେ ୧୨୦୦ ଟଙ୍କା , ୭ ନମ୍ବର ଗ୍ୟାଲେରୀ ୮୦୦ ପରିବର୍ତ୍ତେ ୭୦୦ ଓ ସ୍ପେଶାଲ ଏନକ୍ଲୋଜର ୭୦୦୦ ସ୍ଥାନରେ ୬୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିପରି ଏସି ଗ୍ୟାଲେରୀ ବକ୍ସ ୯୦୦୦ ବଦଳରେ ୮୦୦୦ ଧାର୍ଯ୍ୟ କରାଯାଇଛି । ପୂର୍ବ ଭଳି ନ୍ୟୁ ପ୍ୟାଭିଲୟନ ଓ କର୍ପୋରେଟ ବକ୍ସ ଦର ୧୦ ହଜାର ଓ ୨୦ ହଜାର ଟଙ୍କା ରହିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରେ ବସିଥିବା ଏହି ବୈଠକରେ କ୍ରୀଡା ମନ୍ତ୍ରୀ ସୁର୍ୟ୍ୟ ବଂଶୀ ସୁରଜଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ସମେତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ମାସରେ ଇଂଲଣ୍ଡ ଦଳ ଭାରତ ଗସ୍ତ କରୁଛି। ଏହି ସମୟରେ ଭ୍ରମଣକାରୀ ଦଳ ଓ ଭାରତ ମଧ୍ୟରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ ତାରିଖ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ନାଗପୁର ଏବଂ ଅହମ୍ମଦାବାଦରେ ତୃତୀୟ ମ୍ୟାଚ୍ ଫେବୃଆରୀ ୧୨ ତାରିଖରେ ଖେଳାଯିବ।
ସଂଶୋଧିତ ବିଭିନ୍ନ ଗ୍ୟାଲେରୀର ଟିକେଟ୍ ମୂଲ୍ୟ
ଗ୍ୟାଲେରୀ ୧ – ୧୧୦୦
ଗ୍ୟାଲେରୀ ୨ – ୯୦୦ ଟଙ୍କା
ଗ୍ୟାଲେରୀ ୩- ୧୧୦୦ ଟଙ୍କା
ଗ୍ୟାଲେରୀ ୪ – ୯୦୦ ଟଙ୍କା
ଗ୍ୟାଲେରୀ ୫- ୧୨୦୦ ଟଙ୍କା
ଗ୍ୟାଲେରୀ ୭- ୭୦୦ ଟଙ୍କା
ସ୍ପେସିଆଲ ଏନକ୍ଲୋଜର- ୬୦୦୦ ଟଙ୍କା
ଏସି ଗ୍ୟାଲେରୀ ବକ୍ସ- ୮୦୦୦ ଟଙ୍କା
କର୍ପୋରେଟ୍ ବକ୍ସ- ୨୦,୦୦୦ ଟଙ୍କା
ନ୍ୟୁ ପାଭିଲିୟନ- ୧୦,୦୦୦ ଟଙ୍କା