ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଫାଇନାଲ୍ରେ ଚୀନକୁ ହରାଇ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ । ଏସୀୟ ଚାମ୍ପିଅନଶିପ ହକି ଇତିହାସରେ ଭାରତୀୟ ଦଳ ତୃତୀୟ ଥର ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଭାରତ ପକ୍ଷରୁ ଏକମାତ୍ର ବିଜୟୀ ଗୋଲ ଦୀପିକା(୩୧ତମ ମିନିଟ) ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳର ଅଧିନାୟକ ହୋଇଥିବା ସଲୀମା ଟେଟେଙ୍କୁ ବଡ଼ ସଫଳତା ମିଳିଛି । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସେ ଟିମ୍କୁ ଚାମ୍ପିଅନ କରାଇଛନ୍ତି । ଭାରତୀୟ ମହିଳା ହକି ଦଳର ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିହାର ରାଜଗୀର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏହି ଟାଇଟଲ୍ ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ଦୁଇଟି କ୍ଵାର୍ଟର ଗୋଲଶୂନ୍ୟ ରହିଥିଲା। ଉଭୟ ଦଳ ପରସ୍ପରକୁ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ରହିଥିଲେ। ମାତ୍ର ତୃତୀୟ କ୍ଵାର୍ଟର ଆରମ୍ଭରୁ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଦୀପିକା ଗୋଲ୍ରେ ପରିଣତ କରିଥିଲେ। ତୃତୀୟ କ୍ଵାର୍ଟର ସୁଦ୍ଧା ଭାରତ ମ୍ୟାଚ୍ରେ ୧-୦ରେ ଆଗୁଆ ରହିଥିଲା। ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଚୀନକୁ ଗୋଲ୍ ଦେବାକୁ ସୁଯୋଗ ଦେଇ ନ ଥିଲେ। ଚୀନ ଶେଷ ମିନିଟ୍ ପର୍ଯ୍ୟନ୍ତ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲା । ଶେଷରେ ମହିଳା ଦଳ ଅଗ୍ରଣୀକୁ ବଜାୟ ରଖି ଫାଇନାଲ୍କୁ ୧-୦ରେ ଗୋଲ୍ ଜିତି ନେଇଛି।
ସୂଚନାଯୋଗ୍ୟ, ଭାରତ ଏହା ପୂର୍ବରୁ ଦୁଇ ଥର ଏସୀୟ ଚାମ୍ପିଅନଶିପ୍ ଟ୍ରଫି ଜିତିଛି। ୨୦୧୬ରେ ଦଳ ଚୀନକୁ ୨-୧ରେ ହରାଇ ଟାଇଟଲ୍ ଜିତିଥିଲା। ଏହା ପରେ ୨୦୨୩ରେ ଜାପାନକୁ ୪-୦ରେ ହରାଇ ଭାରତୀୟ ମହିଳା ଦଳ ଦ୍ଵିତୀୟ ଥର ଚାମ୍ପିଅନ ହୋଇଥିଲା। ଅନ୍ୟପଟେ ଚୀନ ଇତିହାସରେ ତୃତୀୟ ଥର ଫାଇନାଲ୍ରେ ପହଞ୍ଚିଥିଲେ ହେଁ ପ୍ରତିଥର ଦଳକୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଛି ।
ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇ ଏକ୍ସରେ ପୋଷ୍ଟ କରିଛନ୍ତି ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ରେ ସେମାନଙ୍କର ଅବିଶ୍ୱସନୀୟ ବିଜୟ ପାଇଁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ । ଏହି ବିଜୟ କ୍ରୀଡ଼ାରେ ଭାରତୀୟ ମହିଳାମାନଙ୍କର ଶକ୍ତି ଏବଂ ସ୍ଥିରତାର ପ୍ରକୃତ ପ୍ରମାଣ । ଆପଣ ସମସ୍ତଙ୍କୁ ସଫଳତା ଏବଂ ଭବିଷ୍ୟତରେ ଆହୁରି ଅନେକ ବିଜୟ କାମନା କରୁଛି ।